ପାଟକୁରା,୨୬/୦୫/୨୦୨୧(ଓଡ଼ିଶା ସମାଚାର) – ଗରଦପୁର ବ୍ଲକ୍ରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ପରିଦର୍ଶନ କରିଛନ୍ତି ଗରଦପୁର ତହସିଲଦାର ଅଶୋକ କୁମାର ବେହେରା । ଶ୍ରୀ ବେହେରା ମଙ୍ଗଳବାର ଭୋର ୬ଟାରେ କୋରୁଆ ବାତ୍ୟା ଆଶ୍ରୟସ୍ଥଳରେ ପହଂଚି ଲୋକମାନଙ୍କୁ କିପରି ଆଶ୍ରୟ ଦିଆଯାଇଛି, ତାର ତଦାରଖ କରିଥିଲେ । ଏପରିକି ବାତ୍ୟା ଆଶ୍ରୟସ୍ଥଳ ବ୍ୟତୀତ ବିଦ୍ୟାଳୟ ଗୁଡିକରେ କରାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳଗୁଡିକୁ ମଧ୍ୟ ସେ ପରିଦର୍ଶନ କରିଥିଲେ । ବିଡିଓ ରଂଜିତ୍ କୁମାର ମଲ୍ଲିକଙ୍କ କହିବା ମୁତାବକ ଗରଦପୁର ବ୍ଲକ୍ର ୧୮ଟି ପଂଚାୟତର ଚାଳ ଛପର ଘର ଓ ଅସୁରକ୍ଷିତ ଗୃହରେ ଥିବା ୮୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଭିନ୍ନ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଦିଆଯାଇଛି । ଏପରିକି ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇ ମାସ୍କ, ସାନିଟାଇଜର ଦିଆଯିବା ସହିତ କୋଭିଡ୍ ନିୟମାନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସଚେତନ କରାଯାଇଛି । ଆଉ ଯେଉଁମାନେ ଚାଳ କିମ୍ବା ଆଜବେଷ୍ଟସ୍ ଘରେ ରହିଛନ୍ତି, ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବା କାର୍ଯ୍ୟ ପ୍ରଶାସନ ତରଫରୁ ଜାରିରହିଛି । ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡାକ୍ତର ହିମାଂଶୁ ଭୂଷଣ ଷଡଙ୍ଗୀଙ୍କ ନିର୍ଦ୍ଧେଶକ୍ରମେ ସ୍ୱାସ୍ଥ୍ୟକର୍ମୀ ଧିରେନ୍ କୁମାର ସାହୁ ବାତ୍ୟା ଆଶ୍ରୟସ୍ଥଳ ଓ ବିଦ୍ୟାଳୟ ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଲୋକମାନଙ୍କୁ ଔଷଧ ବଂଟନ କରୁଛନ୍ତି । ଓଡ଼ିଶା ସମାଚାର