ଭୁବନେଶ୍ୱର,୨୫/୦୫/୨୦୨୧(ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍?’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬ଟି ଜିଲ୍ଲାରେ କୋଭିଡ୍ ଟିକାକରଣ ଓ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏହାସହିତ ବାତ୍ୟା ପରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ ଓ ମରାମତି ନିମନ୍ତେ ପ୍ରାୟ ୧୦ରୁ ୧୨ହଜାର ଶ୍ରମିକ ନିୟୋଜିତ ହେବାର ଥିବାରୁ ସେମାନଙ୍କର କୋଭିଡ୍ ରାପିଡ୍ ଆଂଟିଜେନ୍ ଟେଷ୍ଟ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଧେଶନାମା ଜାରି କରିଛନ୍ତି । ସେ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ଆସନ୍ତା ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍ ଟିକାକରଣ ଓ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସ୍ଥଗିତ ରହିବ । ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କୋଭିଡ୍ ଟିକାକରଣ ଓ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ଆବଶ୍ୟକ ନିଷ୍ପତି ନେଇପାରିବେ ।ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ‘ୟାସ୍’ରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଯାହାକୁ ସ୍ୱାଭାବିକ କରିବା ପାଇଁ ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିଃ ଏବଂ ଟାଟାପାୱାର ନର୍ଥ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିଃକୁ ୧୦ରୁ ୧୨ହଜାର ଶ୍ରମିକଙ୍କୁ ନିୟୋଜିତ କରିବାକୁ ପଡ଼ିବ । ତେଣୁ ସେହି ଲୋକମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଥିବାରୁ ସେମାନେ ଯେଉଁ ସବୁ ସ୍ଥାନରେ ମରାମତି କାର୍ଯ୍ୟ କରିବେ ଅବା କ୍ୟାମ୍ପ ପକାଇ ରହିବେ ସେଠାରେ ପ୍ରାଥମିକତା ଭିତିରେ ରାପିଡ୍ ଆଂଟିିଜେନ୍ ଟେଷ୍ଟ କରିବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଧେଶ ଦେଇଛନ୍ତି । ଓଡ଼ିଶା ସମାଚାର