Monday , March 27 2023
Breaking News
Home / ବିଶେଷ / ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ଆସିଲେ, କ୍ୱାରେଂଟାଇନରେ ରହିବେନି

ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ଆସିଲେ, କ୍ୱାରେଂଟାଇନରେ ରହିବେନି

ଭୁବନେଶ୍ୱର,୨୫/୦୫/୨୦୨୧(ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍’ ଉତର ଓଡ଼ିଶାରେ ଅଧିକ କ୍ଷୟକ୍ଷତି କରିବାର ଆଶଙ୍କା ଥିବାବେଳେ ବାତ୍ୟା ପରବର୍ତୀ ସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଧେଶନାମା ଜାରି କରିଛନ୍ତି । ବାତ୍ୟା ପରେ ରିଲିଫ, ମରାମତି, ପୁନରୁଦ୍ଧାର ଓ ଅନ୍ୟ ବାତ୍ୟା ସଂକ୍ରାନ୍ତ ଗତିବିଧି ପାଇଁ ଓଡ଼ିଶା ଆସୁଥିବା ଲୋକଙ୍କ ନିମନ୍ତେ କୋଭିଡ୍ ନିୟମକୁ କୋହଳ କରାଯାଇଥିବାବେଳେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ନିମନ୍ତେ ନିୟୋଜିତ ହେବାକୁ ଥିବା ଶ୍ରମିକଙ୍କ ପାରିଶ୍ରମିକକୁ ମଧ୍ୟ ବୃଦ୍ଧି କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏକ ନିର୍ଦ୍ଧେଶନାମା ଜାରି କରି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ, ମରାମତି, ପୁନରୁଦ୍ଧାର ଓ ଅନ୍ୟାନ୍ୟ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟ ପାଇଁ ଓଡ଼ିଶା ଆସୁଥିବା ଲୋକମାନଙ୍କୁ ଆରଟି- ପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା କୋଭିଡ୍ ଟିକା ସାର୍ଟିଫିକେଟ ଦେବାକୁ ପଡ଼ିବ ନାହିଁ । ସେମାନଙ୍କୁ ମଧ୍ୟ ସମସ୍ତ ପ୍ରକାରର କ୍ୱାରେଂଟାଇନ ନିୟମରୁ ବାଦ୍ ଦିଆଯିବ । ତେବେ ସେମାନେ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟରେ ଓଡ଼ିଶା ଆସିଥିବା ନେଇ ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସକୁ ପ୍ରମାଣପତ୍ର ଦେଖାଇବେ ।
ଅନ୍ୟ ଏକ ନିର୍ଦ୍ଧେଶକ୍ରମେ ରାଜ୍ୟ ଶକ୍ତି ବିଭାଗ ସାମୁଦ୍ରିକ ବାତ୍ୟା ‘ୟାସ୍’ ପରେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଶ୍ରମିକମାନଙ୍କର ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି । ଟାଟା ପାୱାରର ୪ଟି ଯାକ ବିଦ୍ୟୁତ ବଂଟନକାରୀ କମ୍ପାନୀ କର୍ତୃପକ୍ଷଙ୍କୁ ଚିଠି ଲେଖି ଏହିପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ରାଜ୍ୟ ସରକାର ଅବଗତ କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୪୬୨ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କର ୫୨୨ଟଙ୍କା ଓ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୫୯୭ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏହି ଦର ବର୍ତମାନ ବିଦ୍ୟୁତ ଉପକରଣ ସ୍ଥାନାନ୍ତର କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଲାଗୁ ହେବନି । କେବଳ ବାତ୍ୟା ପରବର୍ତୀ ପୁନରୁଦ୍ଧାର ନିମନ୍ତେ ଏହି ପାରିଶ୍ରମିକ ଦିଆଯିବ । ୟାସ୍ ରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ବିଦ୍ୟୁତ ଯୋଗାଣକୁ ଯୁଦ୍ଧକାଳୀନ ଭିତିରେ ସଜାଡ଼ିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ରୁ ୧୨ହଜାର ଶ୍ରମିକଙ୍କୁ ଏକଜୁଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରେ ଅବା ରହଣୀ ସ୍ଥଳରେ ରାପିଡ୍ ଆନ୍ଟିଜେନ୍ ଟେଷ୍ଟ କରି କୋଭିଡ୍ ସଂକ୍ରମଣ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦେଇକ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.