Sunday , March 26 2023
Breaking News
Home / ବିଶେଷ / ବାତ୍ୟା ‘ୟସ’ ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗର ପଦକ୍ଷେପ ସର୍ବାଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ୫ ଟି ଜିଲ୍ଲାର ପୌରସଂସ୍ଥା ଉପରେ ଫୋକସ ଗୁରୁତର ପ୍ରଭାବିତ ସମ୍ଭାବନା ଥିବା ପୌରସଂସ୍ଥାରେ ୫୨୦ ରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାପନ

ବାତ୍ୟା ‘ୟସ’ ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗର ପଦକ୍ଷେପ ସର୍ବାଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ୫ ଟି ଜିଲ୍ଲାର ପୌରସଂସ୍ଥା ଉପରେ ଫୋକସ ଗୁରୁତର ପ୍ରଭାବିତ ସମ୍ଭାବନା ଥିବା ପୌରସଂସ୍ଥାରେ ୫୨୦ ରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାପନ

ଭୁବନେଶ୍ୱର, ୨୫/୫/୨୦୨୧(ଓଡ଼ିଶା ସମାଚାର) : – ବାତ୍ୟା ପାଇଁ ହାଇ ଆଲର୍ଟରେ ଥିବା ୫ଟି ଜିଲ୍ଲା ଯଥା ଜଗସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ରେ ଯେଭଳି କୌଣସି ଜୀବନହାନୀ ନହୁଏ ସେଥିପାଇଁ ଫୁଲ-ପ୍ରୁଫ୍ ସ୍ଥାନାନ୍ତର ପ୍ରଣାଳୀ କାର୍ଯ୍ୟକାରୀ କରିବା ଏବଂ ଜିରୋ କାଜୁଆଲିଟି ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦିଆଯାଇଛି । ଗୃହ ଏବଂ ନଗର ଉନ୍ନୟନ ବିଭାଗ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୌରସଂସ୍ଥା ଗୁଡ଼ିକୁ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଜାରି କରିସାରିଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ପୌରାଂଚଳରେ ଥିବା ୧୧୩୭ ୱାର୍ଡର ପ୍ରାୟ ୩୭ ଲକ୍ଷ ଜନସଂଖ୍ୟା ଉପରେ ଏହା ପ୍ରଭାବ ପକାଇପାରେ । ସେଥିମଧ୍ୟରୁ ୯୩ ୱାର୍ଡର ୨.୭ ଲକ୍ଷ ଜନସଂଖ୍ୟା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଠାରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ ହୋଇଛି ଏବଂ ନିରନ୍ତର ତଦାରଖ କରାଯାଉଛି । ଭଦ୍ରକ, ବାଲେଶ୍ୱର, ଜଗସିଂହପୁର, କେନ୍ଦ୍ରାପଡା, ଯାଜପୁର ପୌରାଂଚଳ ବାତ୍ୟା ‘ୟସ’ ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ଉତ୍ସର୍ଗୀକୃତ ସହରୀ ଦଳ ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ସକ୍ରିୟ ଭାବେ କାର୍ଯ୍ୟରତ ଅଛନ୍ତି । ଦିଆଯାଇଥିବା ଏସଓପିକୁ ଏଠାରେ ପ୍ରାଥମିକତା ଆଧାରରେ କାର୍ଯ୍ୟକାରୀ କରାଯାଉଛି । ଭୁବନେଶ୍ୱର ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସି (ସୁଡା) ଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉତ୍ସର୍ଗୀକୃତ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି ଏବଂ ଏହା ଦିନରାତି ସକ୍ରିୟ ଭାବେ କାର୍ଯ୍ୟରତ । ଅନୁରୂପ ଭାବେ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୬୧ଟି ପୌରସଂସ୍ଥାରେ ମଧ୍ୟ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନମାନେ ଉସôର୍ଗୀକୃତ ଟିମ ଗଠନ କରିଛନ୍ତି । ଅଧିକ ପ୍ରଭାବିତ ହେବାକୁ ଥିବା ଉପରୋକ୍ତ ୫ ଟି ଜିଲ୍ଲାର ପୌରାଂଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସ୍ଥିତି ସମ୍ଭାଳିବାପାଇଁ ଅନ୍ୟ ୧୭ଟି ପୌରସଂସ୍ଥାରୁ ଅତିରିକ୍ତ ଇଓଏସ୍ / ଯନ୍ତ୍ରୀମାନଙ୍କୁ ସମ୍ପୃକ୍ତ ପ୍ରଭାବିତ ଆଶଙ୍କା ଥିବା ପୌରାଂଚଳରେ ଅବସ୍ଥାପିତ କରାଯାଇଛି । ଗୁରୁତର ପ୍ରଭାବିତ ଆଶଙ୍କା ଥିବା ପୌରାଂଚଳରେ ପର୍ଯ୍ୟାପ୍ତ ରହିବା କ୍ଷମତା ବିଶିଷ୍ଟ ୫୨୦ ରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳଗୁଡିକ ପ୍ରତିଷ୍ଠା ସହିତ ସେଠାରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯେପରିକି ଶୁଖିଲା ଖାଦ୍ୟ, ପାନୀୟ ଜଳ, ଶୌଚାଳୟ, ମେଡିକାଲ୍ କିଟ୍ ଇତ୍ୟାଦି ଗଚ୍ଛିତ ରଖାଯାଇଛି । ମହିଳା ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ବ୍ୟବସ୍ଥା ସୁନିଶ୍ଚିତ ହୋଇଛି । କୋଭିଡ- ୧୯ ମାର୍ଗଦର୍ଶିକାର କଡା ଅନୁକରଣ ନିଶ୍ଚିତ ହୋଇଛି ଏବଂ ଶେଷ ମୁହୂର୍ତରେ କୌଣସି ପ୍ରକାର ମେଡିକାଲ ସ୍ଥିତିକୁ ଏଡାଇବାପାଇଁ ସମସ୍ତ ଚିକିତ୍ସା ଜରୁରୀକାଳୀନ ସୁବିଧା ବ୍ୟବସ୍ଥା କରାଯାଇଛି ।
ନିରବଚ୍ଛିନ୍ନ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ସହିତ ଷ୍ଟୋରେଜ୍ ଜଳଭଣ୍ଡାରଗୁଡ଼ିକ ପୂରଣ କରାଯାଇଛି ଏବଂ ଡିଜି ସେଟ୍ ଏବଂ ଜେନେରେଟର ଇତ୍ୟାଦି ଆବଶ୍ୟକ ବ୍ୟାକଅପ୍ ବ୍ୟବସ୍ଥା ନିଶ୍ଚିତ କରାଯାଇଛି । ବାତ୍ୟାର ସମ୍ମୁଖୀନ ହେବାକୁ ଥିବା ପୌରସଂସ୍ଥାଗୁଡିକରେ ୫୦୦ ରୁ ଅଧିକ ଆସ୍କା ଲାଇଟ୍ ଏବଂ ୫୦୦ ଜେନରେଟରସେଟ୍ ଉପଲବ୍ଧ କରାଯାଇଛି । ଜଳ ନିଷ୍କାସନ ପାଇଁ ୫୫୦ ପମ୍ପ-ସେଟ୍ ପୂର୍ବରୁ ରଖାଯାଇଛି ଏବଂ ମୁକାବିଲା ପାଇଁ ଅନ୍ୟ ଲାଇନ ବିଭାଗ ଦ୍ୱାରା ଅଧିକ କାର୍ଯ୍ୟ ଚାଲିଛି । ବାତ୍ୟା ଆଶଙ୍କା ଥିବା ପୌରାଂଚଳ ଗୁଡ଼ିକରେ ନିରବଚ୍ଛିନ୍ନ ଜଳ ଯୋଗାଣ ନିଶ୍ଚିତ ହୋଇଛି ଏବଂ ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ ଉତ୍ସର୍ଗୀକୃତ ନିୟନ୍ତ୍ରଣ କକ୍ଷଗୁଡ଼ିକ ଅଛି ଏବଂ ଏହାର ନମ୍ବର ସୋସିଆଲ ମିଡିଆରେ ଲୋକଙ୍କ ଅବଗତି ପାଇଁ ସେୟାର କରାଯାଇଛି । ପାୱାର ବ୍ୟାକଅପ ଯଥେଷ୍ଟ ହେବା ପାଇଁ ବିଭିନ୍ନ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ୫୫୦ ରୁ ଅଧିକ ଡିଜି ସେଟ୍ ଅଣାଯାଇଛି । ସମ୍ବେଦନଶୀଳ ପୌରସଂସ୍ଥାଗୁଡିକରେ ଅଣାଯାଇଥିବା ୧୮୦ ରୁ ଅଧିକ ୱାଟର ଟ୍ୟାଙ୍କର୍ ନିୟୋଜିତ କରାଯାଇଛି । ସାମାଜିକ ଦୂରତାକୁ ସଠିକ ଭାବେ ପାଳନ କରିବା ପାଇଁ ସମସ୍ତ ଜଳ ଅଭାବ ଅଂଚଳରେ ୭୦୦ ରୁ ଅଧିକ ପିଭିସି ପାଣିଟାଙ୍କି ବସାଯିବା ସହିତ ଏହାକୁ ନିୟମିତ ଭାବେ ପୂର୍ଣ୍ଣ କରାଯିବାର ବ୍ୟବସ୍ଥା ହୋଇଛି । ଅତିରିକ୍ତ ଭାବରେ, ହ୍ୟାଣ୍ଡ୍ ପମ୍ପ୍ ଟ୍ୟୁବ୍ ୱେଲଗୁଡିକ କାର୍ଯ୍ୟକାରୀ ହେବା ସହିତ ଏହା ଯେଭଳି ନିୟମିତ ଭାବେ କାର୍ଯ୍ୟକରିବ ସେଥିପାଇଁ ଟିମ ମୁତୟନ କରାଯାଇଛି । କୌଣସି ଠାରେ ଜଳଯୋଗାଣରେ ସମସ୍ୟା ଦେଖାଦେଲେ ତାହାର ତୁରନ୍ତ ମରାମତି ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଅଧୀନରେ ମୋବାଇଲ୍ ରାପିଡ୍ ଆକ୍ସନ ଟିମ ଗଠନ କରାଯାଇଛି । ବାତ୍ୟା ପୁନର୍ବାସ କେନ୍ଦ୍ର ଏବଂ ଆଶ୍ରୟସ୍ଥଳୀକୁ ଯୋଗାଣ ନିଶ୍ଚିତ କରିବାକୁ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ ଅଧିକାରୀମାନେ ବାତ୍ୟା ମୁକାବିଲା ଲାଗି ଅନ୍ୟାନ୍ୟ ଲାଇନ ବିଭାଗ ସହିତ ସମନ୍ୱୟ ରକ୍ଷା କରିବା ଏବଂ ଯେକୌଣସି ଆହ୍ୱାନକୁ ଦୂର କରିବା ଦିଗରେ ପଦକ୍ଷେପ ନେବାଲାଗି ନିର୍ଦ୍ଧେଶ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.