ବାଲିଗୁଡ଼ା,୨୫/୦୫/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କଥାରେ ଅଛି ବୃକ୍ଷ ହିଁ ଜୀବନ । ଗଛ ନରହିଲେ ସୃଷ୍ଟିରେ ବଂଚିବା ଅସମ୍ଭବ । କିନ୍ତୁ ରାସ୍ତା ସମ୍ପ୍ରସାରଣ ନାମରେ ଲକ୍ଷଲକ୍ଷ ମୂଲ୍ୟବାନ୍ ଗଛ କଟା ଚାଲିଛି । ଫଳରେ ପ୍ରକୃତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି । ଏଭଳି ପରିସ୍ଥିତିରେ ଗଛ ନକାଟି ଗଛକୁ କିଭଳି ବଂଚାଯାଇପାରିବ ସେନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିକାରି ବିଶ୍ୱନାଥ ନୀଳନବର ଏକ ପଦକ୍ଷେପ ନେଇଥିଲେ । ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ରାଜ୍ୟ ବାହାରୁ ଶ୍ରମିକ ଓ ଯନ୍ତ୍ରାଂଶ ଅଣି ବୃକ୍ଷ ପ୍ରତିରୋପଣ କାମ ମଧ୍ୟ ଆରମ୍ଭ କରିଥିଲେ । ବାଲିଗୁଡ଼ା ବନଖଣ୍ଡ ଅଧିକାରୀଙ୍କ ଏଭଳି ପ୍ରୟାସକୁ ପ୍ରକୃତିପ୍ରେମିମାନେ ବେସ୍ ପ୍ରଶଂସା ମଧ୍ୟ କରିଥିଲେ ସେହି ସମୟରେ । କିନ୍ତୁ କିଏ ଯାଣିଥିଲା ଯେ,ଏହି ଯୋଜନା କେତେ ଫଳପ୍ରଦ ହେବ…? ଜାତୀୟ ରାଜପଥ ସଂପ୍ରସାରଣ ନାମରେ ଗତ ୨୦୧୯ ମସିହାରେ ବାଲିଗୁଡ଼ା ଅଞ୍ଚଳର ରାସ୍ତାକଡ଼ରେ ଥିବା ୨୬୪୯ଟି ଗଛ କଟାଯିବାର ନିଷ୍ପତି ହୋଇଥିଲା । ସେଥିମଧ୍ୟରୁ ସଂଭାବ୍ୟ ଏକ ହଜାର ମୂଲ୍ୟବାନ ଗଛକୁ ପ୍ରତିରୋପଣ କରିବାକୁ ନିଷ୍ପତି ନେଲେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଏବଂ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବୃକ୍ଷ ପ୍ରତିରୋପଣ କାର୍ଯ୍ୟ ମଧ୍ୟ କଲେ । ହେଲେ ବର୍ତମାନ ସମୟରେ ପ୍ରତିରୋପଣ କରାଯାଇଥିବା ଗଛ ମଧ୍ୟରୁ ଗୋଟିଏ ମଧ୍ୟ ଗଛ ଜୀବିତ ଦେଖାଯାଉନାହିଁ । ଏଠି ପ୍ରଶ୍ନ ଉଠୁଛି ଗଛ ବଂଚାଇବା ନାମରେ ଯେଉଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କାରଗଲା ତାହା କଣ ହେଲା । ନା ଗଛ ବଂଚିଲା ନା ସରକାର ଯୋଗାଇଥିବା ଟଙ୍କାର ମୂଲ୍ୟ ରହିଲା । ବନବିଭାଗ ଅଧିକାରୀଙ୍କ ଯୋଜନା ଫେଲ୍ ମାରିବାସହ ଏହି ଯୋଜନାରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ମୂଲ୍ୟ ରହିଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ସରକାର ବନ ବିଭାଗର ଉନ୍ନତି ଓ ବନିକାକେଣ ପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚକରୁଥିବାବେଳେ ଉନ୍ନତି ମୂଳକ କାମନକରି ବନଖଣ୍ଡ ଅଧିକାରୀ ତଳିଆ କର୍ମଚାରୀଙ୍କୁ ଧରି କିଛି ଭିତିରିଆ ସଲାସୁତରାରେ ବ୍ୟସ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।ଏ ନେଇ ବନଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳର ସୁରକ୍ଷାକୁ ଦୃଷ୍ଟିଦେଇ ସରକାରଙ୍କ ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇ ପଡ଼ିଛି । ଓଡିଶା ସମାଚାର