Saturday , June 3 2023
Breaking News
Home / ବିଶେଷ / ବାତ୍ୟା ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସମ୍ବୋଧନ

ବାତ୍ୟା ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସମ୍ବୋଧନ

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି। “ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି କି ସମଗ୍ର ମାନବ ଜାତି ଏକ କଷ୍ଟକର ସମୟ ଦେଇ ଗତି କରୁଛି । ଗତ ଏକ ବର୍ଷ ରୁ ଅଧିକ ସମୟ ଧରି କୋଭିଡ୍ ବିରୁଦ୍ଧରେ ଆମ ଲଢେଇ ଜାରି ରହିଥିବା ବେଳେ ଏହି ସମୟରେ ବାତ୍ୟା ୟସ୍ ଆମ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏକ ସମୟରେ ଆମକୁ ଦୁଇଟି ବଡ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ୍ ସହ ଅମ୍ପାନର ସାମନା କରିଥିଲେ । ଆପଣ ମାନଙ୍କ ସହଯୋଗରେ ସେହି ପରିସ୍ଥିତିର ସଫଳ ମୁକାବିଲା କରିଥିଲେ । ତେଣୁ ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ। ତଥାପି ଆମକୁ ସାବଧାନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାମାନ୍ୟ ଅବହେଳା ଆମ ପାଇଁ ବଡ ବିପଦ ସୃଷ୍ଟି କରିପାରେ। ବାତ୍ୟା ଓ କୋଭିଡର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ଏମିତି ସମୟରେ ଆପଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ବାତ୍ୟା ମୁକାବିଲାରେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ସାଢେ୪ କୋଟି ଓଡିଶାବାସୀ ମୋର ପରିବାର। ମୋ ପରିବାରର ନିରାପତ୍ତା ମୋର ବଡ ପ୍ରାଥମିକତା। ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମ କାମ। ସମସ୍ତଙ୍କୁ ପକ୍କା ଘର ବା ନିରାପଦ ସ୍ଥାନକୁ ଚାଲିଯିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରନ୍ତୁ। ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ । ଡବଲ ବିପଦ ପାଇଁ ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି। ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ। ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର (ସିଭିଲ ସୋସାଇଟି) ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ । ବାତ୍ୟା ଓ କୋଭିଡ଼ ସମୟରେ ଓ ବାତ୍ୟା ପରେ ଏପରିକି ଘରେ ଡ଼ବଲ ମାସ୍କ ପିନ୍ଧିବାକୁ ହାତଯୋଡ଼ି ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.