ଗରଦପୁର, ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା’ୟାସ’ଘନିଭୁତ ହୋଇ ବାତ୍ୟାର ରୂପ ନେଇଛି । ବାତ୍ୟା ପ୍ରଭାବରେ ଆଜି ସକାଳ ଠାରୁ ପାଟକୁରା ଗରଦପୁର ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ସମୟ ବର୍ଷା ଛାଡିବା ପରେ ଅପରାହ୍ନ ଠାରୁ ବର୍ଷା ଲାଗି ରହିଛି ଓ ବର୍ଷାର ପରିମାଣ କ୍ରମେ କ୍ରମେ ବଢିବାରେ ଲାଗିଛିା ବାତ୍ୟା ୟାସ ପାରାଦ୍ୱପ ଠାରୁ ୪୯୦କିମି ଦୁରରେ ରହିଛି । ବାତ୍ୟା ଯେତିକିି ଉପକୂଳ ଆଡକୁ ମୁହାଉଁଛି,ସାଧାରଣ ଲୋକମାନଙ୍କ ମଧ୍ୟରେ ସେତିକି ଭୟର ବାତାବରଣ ସୃଷ୍ଟି ହେଉଛି । ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଗରଦପୁର ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଗରଦପୁର ବ୍ଲକ ଅଂଚଳର ବେଡାରୀ,ନଇନ୍ଦିପୁର, ଧାନମଣ୍ଡଳ ଓ କୋରୁଆ ଠାରେ ୪ଗୋଟି ବାତ୍ୟା ଆଶ୍ରୟସ୍ଥଳି ରହିଛି । ଏହା ସହିତ ବ୍ଲକର ୮୩ ଗୋଟି ସ୍କୁଲକୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବରେ ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ଚିହ୍ନଟ କରାଯାଇଥିବା ସମ୍ପର୍କରେ ଗରଦପୁର ବିଡିଓ ରଂଜିତ୍ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଏହା ସହିତ ଆବଶ୍ୟକ ପଡିଲେ ବ୍ଲକ୍ର ସମସ୍ତ ବିଦ୍ୟାଳୟଗୁଡିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିଦ୍ୟାଳୟଗୁଡିକୁ ଚିଠି କରାଯାଇ ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ସମ୍ପୃକ୍ତ ସ୍କୁଲର ଶିକ୍ଷକ ଓ ଜଣେ ବ୍ଲକ କର୍ମଚାରୀମାନଙ୍କୁ ଦାଇତ୍ୱ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ବାତ୍ୟା ବିପନ୍ନମାନଙ୍କ ସୁବିଧା ପାଇଁ ଜେନେରେଟର ବ୍ୟବସ୍ଥା,ପାନୀୟ ଜଳ ସୁବିଧା, ବିପନ୍ନମାନଙ୍କ ରହଣି ପାଇଁ ପ୍ରକୋଷ୍ଟର ସୁବିଧା,ବାତ୍ୟା ଆଶ୍ରୟସ୍ଥଳୀ ଗୃହ ପରିସର ପରିଷ୍କାର ଓ ପରିଛନତା ଓ କୋଭିଡ ପଜିଟିଭମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଟର ବ୍ୟବସ୍ଥା ସମ୍ପର୍କରେ ଗରଦପୁର ବିଡିଓ ଶ୍ରୀ ମଲ୍ଲିକ୍ ଆଜି ପୂର୍ବାହ୍ନରେ ବ୍ଳକ କାର୍ଯ୍ୟାଳୟରେ ବାତ୍ୟା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ଏହି ବୈଠକରେ ଗରଦପୁର ବ୍ଲକର ସମସ୍ତ ପଂଚାୟତକୁ ୬ଗୋଟି ଜୋନ୍ରେ ବିଭକ୍ତ କରାଯାଇ ୬ଜଣ କର୍ମଚାରଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଛି । ପ୍ରତି ପଂଚାୟତ ପଏନ୍ଟକୁ ଆଜି ସନ୍ଧ୍ୟା ସୁଦ୍ଧା ଶୁଖିଲା ଖାଦ୍ୟ ପହଂଚାଇବା ଓ ଆବଶ୍ୟକ ସ୍ଥଳେ ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସମ୍ପର୍କରେ ଆଲୋଚନା କରାଯାଇଛିି । ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ପଂଚାୟତକୁ ୬୦କୁଇଂଟାଲ ଚୁଡା,୬କୁଇଂଟାଲ ଗୁଡ ଓ ୬୦କାଟୁନ୍ ବିସ୍କୁଟ୍ ପଠାଯିବା ସମ୍ପର୍କରେ ବିଡିଓ ଶ୍ରୀ ମଲ୍ଲିକ୍ ସୂଚନା ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମାସ୍କ ଓ ସାନିଟାଇଜର ଯୋଗାଣ ସମ୍ପର୍କରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଓ ସାଧାରଣଲୋକମାନଙ୍କ ସମସ୍ୟା ବୁଝିବା ପାଇଁ ବ୍ଲକ କାର୍ଯ୍ୟାଳୟରେ ଆଜି ଠାରୁ କଂଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି । ବ୍ଲକର ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ଚିନାରା ବ୍ଲକ ପ୍ରଶାସନ ପକ୍ଷରୁ ଆଜି ବେଡାରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପହଂଚି ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କ ରହିବା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଆଶ୍ରୟସ୍ଥଳୀ ଦାଇତ୍ୱରେ ଥିବା କର୍ମକର୍ତାମାନଙ୍କ ସହିତ ଆଲୋଚନା କରିଛନ୍ତି । ଓଡ଼ିଶା ସମାଚାର