Friday , September 22 2023
Breaking News
Home / ବିଶେଷ / ବାତ୍ୟା ପରିସ୍ଥିତି ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର

ବାତ୍ୟା ପରିସ୍ଥିତି ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର

କେନ୍ଦ୍ରାପଡ଼ା, ୨୩/୦୫/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା “ୟସ” ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା   ପ୍ରାକ୍ ପ୍ରସ୍ତୁତି ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ମୁକାବିଲା ନିମିତ ଜିଲ୍ଲା ପ୍ରଶାସନ ପକ୍ଷରୁୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ଜିଲ୍ଲାର ବିଡିଓ ଏବଂ ତହସିଲଦାରମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହୋଇ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ବୁଝିଥିଲେ । ଏତତ୍ ବ୍ୟତୀତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ବିଭାଗ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ କିଭଳି ପ୍ରସ୍ତୁତି କରିିଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିବୃତି ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଲେ ଯେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ସଂପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି । ବାତ୍ୟାରେ ଯେପରି କୌଣସି ଜୀବନ କ୍ଷତି ନ ହୁଏ ସେଥିପ୍ରତି ଯତ୍ନବାର ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ରାଜନଗର ଓ ରାଜକନିକା ସମୁଦ୍ର ଉପକୂଳ ବ୍ଲକ ହୋଇଥିବାରୁ ସେହି ସବୁ ବ୍ଲକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ବାତ୍ୟା ସମୟରେ ସମୁଦ୍ର ଲୁଣା ଜୁଆର ମାଡି ଆସିବାର ସମ୍ଭାବନା ଥିବାରୁ ଖାଲୁଆ ଅଂଚଳ ରେ ଥିବା ସମସ୍ତ ଲୋକଙ୍କୁ ବତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ଚାଳଘର, ଆଜବେଷ୍ଟ ଘର ଓ ପୁରୁଣା କୋଠାଘରଥିବା ଲୋକଙ୍କୁ ମଧ୍ୟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯିବ । ବର୍ତମାନ ପରିସ୍ଥିତିରେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଲୋକମାନଙ୍କ  ମଧ୍ୟରେ ସାମାଜିକ ଦୂରତା ରକ୍ଷା ନିମିତ ବାତ୍ୟା ଆଶ୍ରୟସ୍ଥଳ ବ୍ୟତୀତ ସ୍କୁଲ ଗୃହ ଏବଂ ଅନ୍ୟାନ୍ୟ କୋଠାଘରକୁ ମଧ୍ୟ ଆଶ୍ରୟସ୍ଥଳି ଭାବେ ବ୍ୟବହାର କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ସୂଚନା ଦେଇଥିଲେ । ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ପାଣି ଓ ଔଷଧ ପତ୍ର ଆଶ୍ରୟସ୍ଥଳ ଗୁଡିକରେ ଆଗୁଆ ମହଜୁଦ୍ କରି ରଖାଯିବ । ରିଲିଫ ଓ ଏହାର କାର୍ଯ୍ୟ ନିମିତ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସଠିକ୍ ଭାବେ ପ୍ରାକ୍ ପ୍ରସ୍ତୁତି ପଦକ୍ଷେପମାନ ଗ୍ରହଣ କରିବା ଶ୍ରୀ ଜେନା ଗଣମାଧ୍ୟମକୁ ସୂଚାନ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *