Saturday , April 1 2023
Breaking News
Home / ବିଶେଷ / ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୨୩/୦୫/୨୦୨୧(ଓଡ଼ିଶା ସମାଚାର)-ସମ୍ଭାବ୍ୟ ବାତ୍ୟା “ୟସ” ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ବିଡିଓ ଏବଂ ତହସିଲଦାରମାନେ ଯୋଗଦେଇଥିଲେ । ବାତ୍ୟା “ୟସ”ର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ପଡିବାର ଆଶଙ୍କା ଥିବାରୁ ଏହାର ମୁକାବିଲା ନିମିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରାକ୍ ପ୍ରସ୍ତୁତି ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସୂଚନା ଦେଇଥିଲେ । ସୂଚନା ଅନୁଯାୟୀ ଜିଲ୍ଲାରେ ଥିବା ୧୧୭ଟି ବାତ୍ୟା ଆଶ୍ରସ୍ଥଳି ବ୍ୟତୀତ ୩୩୬ଟି ବିଦ୍ୟାଳୟକୁ ଆଶ୍ରୟସ୍ଥଳଭାବେ ବ୍ୟବହାର କରାଯିବ । ଆବଶ୍ୟକ ପଡିଲେ ଅନ୍ୟ ସ୍କୁଲ ଗୁଡିକୁ ମଧ୍ୟ ଆଶ୍ରୟସ୍ଥଳଭାବେ ବ୍ୟବହାର କରାଯାଇ ପାରିବ । ବିଡିଓମାନଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତ ବ୍ଲକକୁ ଶୁଖିଲା ଖାଦ୍ୟ, ମହମବତୀ, ଦିଆସିଲ ଆଦି ଆବଶ୍ୟକୀୟ ସାମଗ୍ରୀ ପଠାଯିବ । ଏହାକୁ ସମସ୍ତ ଆଶ୍ରୟସ୍ଥଳରେ ମହଜୁଦ୍ ରଖିବା ପାଇଁ ବିଡିଓମାନେ ପଦକ୍ଷେପ ଗ୍ରହଣ କରିବେ । ବାତ୍ୟା ପରବର୍ତି ଅବସ୍ଥାରେ ବିଦୁ୍ୟତ ସରବରାହ ସ୍ୱାଭାବିକ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳର ୨୫ଟି ସ୍ଥାନ ନିରୁପଣ କରାଯାଇ  ୩୩୪୧ ବିଦୁ୍ୟତ ଖୁଂଟ,୧୬୯ଟି ଟ୍ରାନସଫର୍ମର ରଖାଯାଇଥିବା ବଂଟନ କାର୍ଯ୍ୟ ସମ୍ପାଦନ ପାଇଁ ୧୪୭୭ଜଣ କର୍ମଚାରୀଙ୍କୁ ନିୟୋଜିତ କରି ରଖାଯାଇଛି । ଗ୍ରାମାଂଚଳର ଓଭର ହେଡ୍ ପାଣି ଟାଙ୍କି ଗୁଡିକୁ ପୁର୍ଣ୍ଣବ କରି ରଖିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ କେତେକ ସହରାଂଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବାତ୍ୟାରେ ଗଛ ଉପୁଡି ରାସ୍ତା ଅବରୋଧ ସମ୍ଭାବନା ଥିବାରୁ ଅବରୋଧ ହଟାଇବା ପାଇଁ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ପୂର୍ବ ଅଭିଜ୍ଞତାଥିବା ଅଧିକାରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ କରାଯିବା ସହ ସେମାନେ ଦିନକ ପୂର୍ବରୁ ସେହି ସ୍ଥାନରେ ଉପସ୍ଥିତ ରହିବା ଆବଶ୍ୟକ ବୋଲି ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକ ପରାମର୍ଶ ଦେଇଛନ୍ତି । ମହାକାଳପଡା, ରାଜକନିକା ଓ ରାଜନଗର ବ୍ଲକ ବିଶେଷ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସେହିସବୁ ବ୍ଲକକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ସମସ୍ତ ଆଶ୍ରୟସ୍ଥଳରେ ପିଇବା ପାଣି ଓ ଆଲୋକର ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଅସୁରକ୍ଷିତ ଆଶ୍ରୟସ୍ଥଳି ଗୁଡିକୁ ବ୍ୟବହାର ନ କରିବା, ମହାକାଳପଡା ଦମକଳ କେନ୍ଦ୍ରରେ ଓଡ୍ରାଫ ଟିମ୍ ରଖିବାକୁ ସେ ପ୍ରସ୍ତାବ ଦେଇଥିଲେ । ଆଶ୍ରୟସ୍ଥଳକୁ ଅଣାଯାଇଥିବା ବ୍ୟକ୍ତିମାନଙ୍କର କୋଭିଡ ପରୀକ୍ଷା କରାଯାଇ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଅଲଗା ରହଣି ବ୍ୟବସ୍ଥା କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରସ୍ତାବ ଦେଇଥିଲେ । ଆଶ୍ରୟସ୍ଥଳରେ ସମସ୍ତଙ୍କ ପାଇଁ ମାକ୍ସ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ ।  ରାଜନଗର ବ୍ଲକର ପେଣ୍ଠ,ପୁରୁଷୋତମପୁର ଓ ଅନ୍ୟାନ୍ୟ ଖାଲୁଆ ଅଂଚଳରେ ଲୁଣା ଜୁଆର ମାଡି ଆସି ଜଳମଗ୍ନ ହେବାର ସମ୍ଭାବନା ଥିବାରୁ ଲୁଣା ତଟବନ୍ଧ ବିଭାଜନ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ବାତ୍ୟା ମୁକାବିଲାରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଅଭିଜ୍ଞତା  ରହିଛି ବୋଲି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପ୍ରକାଶ କରିବା ସହ ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯିବା ସହ ଧନ ଜୀବନ ସୁରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଭାବିତ ଅଂଚଳରେ ଜେନେରେଟର ମାଧ୍ୟମରେ ଜଳ ଉତୋଳନ କରି ବିପନ୍ନମାନଙ୍କୁ ପିଇବା ପାଣି ଯୋଗାଇଦେବା ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଆଳି ବିଧାୟକ ଶ୍ରୀ ଦେବ ମତ ଦେଇଥିଲେ । ବାତ୍ୟା ପରବର୍ତୀ ସମୟରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହ ବିପନ୍ନମାନଙ୍କୁ ପଲିଥିନ ଓ କ୍ଷତିପୁରଣ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଆଶ୍ରସ୍ଥଳିକୁ ଲୋକମାନଙ୍କୁ ସ୍ଥାନାନ୍ତରଣ ପୂର୍ବରୁ ସେ ଗୁଡିକୁ ଭଲଭାବେ ସାନିଟାଇଜ କରାଯିବା ଓ ଆଶ୍ରୟସ୍ଥଳିରେ ଜରୁରୀ ଔଷଧ ପତ୍ର, ଟର୍ଚ୍ଚ ଲାଇଟ୍, ମଶାଧୂପ ଆଦି ମହଜୁଦ୍ ରଖିବାକୁ ସାସଂଦ ଅନୁଭବ ମହାନ୍ତି ପରାମର୍ଶ ଦେଇଥିଲେ । ଗୃହପାଳିତ ପଶୁମାନଙ୍କ ପାଇଁ ପଶୁ ଖାଦ୍ୟ ଓ ଗୋଖାଦ୍ୟ ଯୋଗାଇ ଦେବା ବ୍ୟବସ୍ଥା କରିବାକୁ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପରାମର୍ଶ ଦେଇଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.