Monday , September 25 2023
Breaking News
Home / ବିଶେଷ / ଉତର ଓଡିଶାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଉତର ଓଡିଶାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର,୨୩/୦୫/୨୦୨୧(ଓଡ଼ିଶା ସମାଚାର)- ଉତର ଆଣ୍ଡାମାନ ସାଗର ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବେଙ୍ଗାପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି ରବିବାର ଏହା ଅବପାତର ରୂପ ନେଇ ଆସନ୍ତା ୨୪ ତାରିଖ ସୁଦ୍ଧା ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । ପରେ ଏହା ଉତର ଉତରପଶ୍ଚିମ ଦିଗକୁ ଗତି କରି ୨୬ ତାରିଖରେ ପଶ୍ଚିମବଙ୍ଗ ଓ ତତ୍ ସଂଲଗ୍ନ ଉତର ଓଡ଼ିଶା ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିବାର ଆକଳନ କରାଯାଇଛି ।
ଶନିବାର ଅପରାହ୍ନରେ ଏ ସଂପର୍କରେ ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କ ସହିତ ବିଚାରବିମର୍ଷ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲିଟି ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ସମସ୍ତ ତଳୁଆ ଅଂଚଳ, କଚ୍ଚା ଘର, ବିପଦସଂକୁଳ ଗୃହରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କହିଛନ୍ତି । ଆଶ୍ରୟସ୍ଥଳୀରେ ବେଶୀ ଲୋକ ନ ରଖି କୋଭିଡ ନିୟମାନୁସାରେ ଆଶ୍ରୟ ନେବାକୁ ସେ କହିଛନ୍ତି । ପ୍ରଭାବିତ ଜିଲ୍ଲାଗୁଡିକରେ ଥିବା କୋଭିଡ କେୟାର, ଡାକ୍ତରଖାନାରେ ଯଥେଷ୍ଟ ଖାଦ୍ୟ, ପାନୀୟ ଜଳ, ଔଷଧ, ଡାକ୍ତର, କର୍ମଚାରୀମାନେ ରହିବା ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଏଥିସହ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଂଟରରେ ପର୍ଯ୍ୟାପ୍ତ ଅକ୍ସିଜେନ ମହଜୁଦ ରଖିବାକୁ ବ୍ୟବସ୍ଥା କରିବାକୁ କହିଛନ୍ତି । ଶିଳ୍ପ ବିଭାଗ ପକ୍ଷରୁ ଅକ୍ସିଜେନ ପ୍ଳାଂଟରେ ଅମ୍ଳଜାନ ଉତ୍ପାଦନ, ପରିବହନ ଓ ରିଫିଲିଂ ସବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଅଛି । ଏନଡିଆରଏଫର କମାଣ୍ଡାଂଟ, ଓଡ୍ରାଫର ଏଡିଜି, ଓଏଫଡିସିର ଜେନେରାଲ ମ୍ୟାନେଜର, ଚିଫ୍ ଫାୟାର ଅଫିସରଙ୍କ ସହ ଆଲୋଚନା କରାଯାଇଥିଲା । ଏନଡିଆରଏଫ୍ର ୨୨ ଟି ଟିମ୍, ଓଡ୍ରାଫ୍ ର ୨୦ ଟି ବାଟାଲିୟନର ୬୦ ଗୋଟି ଦଳ ଏବଂ ଅଗ୍ନିଶମ ବାହିନୀର ୧୭୫ ଟିମ୍ କୁ ମୁତୟନ ପାଇଁ ଯୋଜନା କରାଯାଇଛି । ବନ ବିଭାଗ ପକ୍ଷରୁ ୩୫ ଗୋଟି ଗଛ କଟାଳି ଦଳଙ୍କୁ ପ୍ରସ୍ତୁତ କରି ରଖାଯାଇଛି । ଉଦ୍ଧାର କାର୍ଯ୍ୟପାଇଁ ପାଖାପାଖି ୩୦୦୦ ତାଲିମ୍ ପ୍ରାପ୍ତ ଲୋକଙ୍କୁ ନିୟୋଜିତ କରାଯିବ । ସେମାନେ ରବିବାର ଠାରୁ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରକାଶ କରିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସଂପୃକ୍ତ ବିଭାଗ ସବିଶେଷ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି । କୃଷି ବିଭାଗ ପକ୍ଷରୁ କୃଷି ମାର୍ଗଦର୍ଶିକା ଜାରି କରାଯାଇଛି । ବର୍ଷା ଓ ପବନ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଚାଷୀଭାଇମାନଙ୍କୁ ଅମଳ ହୋଇଥିବା ଫସଲକୁ ସାଇତି ଓ ଘୋଡାଇ ରଖିବା ପାଇଁ କୁହାଯାଇଛି । କ୍ଷେତରେ ଥିବା ପନିପରିବାର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସମସ୍ତ ଆସନ୍ନ ପ୍ରସବା ମହିଳାଙ୍କୁ ଆଶ୍ରୟସ୍ଥଳୀକୁ ନ ପଠାଇ ସିଧାସଳଖ ମେଡିକାଲକୁ ପଠାଇବାକୁ କୁହାଯାଇଛି । ଶକ୍ତି ବିଭାଗ ପକ୍ଷରୁ କର୍ମଚାରୀ ଓ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ସ୍ଥାନୀୟ କଂଟ୍ରାକ୍ଟର ସହଯୋଗରେ ଅତିରିକ୍ତ ଗ୍ୟାଙ୍ଗ, ସାମଗ୍ରୀ ଓ ଯନ୍ତ୍ରାଂଶଗୁଡିକ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ସୂଚନା ପ୍ରଯୁକ୍ତି ବିଭାଗର ସଚିବଙ୍କ ନେତୃତ୍ୱରେ ଟେଲିକମ୍ ବ୍ୟବସ୍ଥାରେ ଯେଭଳି ବିଶେଷ ଅସୁବିଧା ନ ଉପୁଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ସମୟରେ କୌଣସି ଗୋଟିଏ ନେଟୱାର୍କ ଖରାପ ହେଲେ ଅନ୍ୟ ନେଟୱାର୍କ ମାଧ୍ୟମରେ ସେବା ଚାଲୁରିହବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *