ଭୁବନେଶ୍ୱର,୨୩/୦୫/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଭିଡିଓ କନଫରେନସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଧେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାରୁ ଲୋକଙ୍କୁ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଂଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର । ଜିଲ୍ଲାପାଳ ଓ ଏସ୍.ପି ମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ନିର୍ଦ୍ଧେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ ଦିନ ମଧ୍ୟରେ ବେଙ୍ଗାପ ସାଗରରେ ବାତ୍ୟା ୟାସର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତମାନ ସୁଦ୍ଧା ଏହାର ଗତିପଥ ଠିକ୍ ଭାବରେ ନିର୍ଣ୍ଣୟ ହୋଇନାହିଁ । ତେଣୁ ଆମର ସମସ୍ତ ଉପକୂଳବର୍ତୀ ଓ ଏହାର ଆଖପାଖ ଜିଲ୍ଲା ଗୁଡିକ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହି ପ୍ରବଳ ବର୍ଷା ଓ ପବନ ପାଇଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍ ଯଥା – ODRAF, NDRF, Road Clearing Machines ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ପରେ ସବୁଠାରୁ କମ୍ ସମୟ ମଧ୍ୟରେ ରାସ୍ତାକୁ ସଫା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃସଂଯୋଗ ପାଇଁ ସମସ୍ତ ଟିମ୍ ଓ ଆବଶ୍ୟକ ଯନ୍ତ୍ରପାତି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।କୋଭିଡ ପରିସ୍ଥିତି ଯୋଗୁ ଏହି ସମୟରେ ଅକସିଜେନ ଯୋଗାଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକସିଜେନ ଯୋଗାଣରେ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯୟ ପରିଚାଳନାରେ ଓଡିଶାର ସ୍ୱତନ୍ତ୍ର ଦକ୍ଷତା ରହିଛି ଏବଂ ଆମେ ଏବେ ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛୁ । କୋଭିଡ ମହାମାରୀ ଯୋଗୁ ପରିସ୍ଥିତି ଆହୁରି ଜଟିଳ ହୋଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି । ସମସ୍ତ ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି । ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ୍ତ ଜେନା ଏକ ଉପସ୍ଥାପନା ରଖି କହିଥିଲେ ଯେ ରବିବାର ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସଂପର୍କରେ ସଠିକ ସୂଚନା ମିଳିବ । ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି । ୨୨ଟି NDRF ଟିମ୍, ୬୬ଟି ODRAF ଟିମ୍ , ୧୭୭ଟି ଅଗ୍ନିଶମ ସେବା ଟିମ୍ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି ।ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଲୋକଙ୍କ ସ୍ଥାନାନ୍ତର ପାଇଁ ଅତିରିକ୍ତ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି । ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ ନିୟମାବଳୀର ପାଳନ କରାଯିବ ।
ସେହିପରି ଟେଲିକମ୍ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ହସପିଟାଲକୁ ନେବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ । ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଅକସିଜେନ ଯୋଗାଣ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ଅକସିଜେନ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସବୁ refilling Station କୁ ଅତିରିକ୍ତ ଡିଜି ସେଟ୍ ଦିଆଯାଇଛି ଏବଂ ଜିଲ୍ଲାଗୁଡିକ ସବୁ ଅକସିଜେନ ସିଲିଣ୍ଡର ଗୁଡିକୁ ଆଗୁଆ refilling କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ବୋଲି ସେ କହିଥିଲେ । ବାତ୍ୟାର ସମ୍ଭାବନା ଥିଲେ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକୁ ପୂର୍ବ ପରି ଅକସିଜେନ ଯୋଗାଣ ଜାରି ରହିବ ବୋଲି ସେ କହିଥିଲେ । ବୈଠକରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର