ଗରଦପୁର,୨୨/୦୫/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର କରିଥିବା ତାଲାବନ୍ଦ ଯୋଗୁଁ ଗ୍ରାମାଂଚଳର ଅନେକ କଳାକାର ପରିବାରମାନଙ୍କର ଆର୍ଥିକସ୍ଥିତ ଦୋହଲି ଯାଇଛି । ପାଟକୁରା ଅଂଚଳରେ ରହିଥିବା ଅନେକ ସଂଖ୍ୟକ ସଂକିର୍ତନ କଳାକାର, ପାଲାଗାୟକ, ମଂଚକଳାକାର ଓ ବାଦ୍ୟକଳାକାରମାନେ ଦୀର୍ଘ ଦିନ ଧରି ଘରେ ବସି ରହିବା ଫଳରେ ସେମାନଙ୍କର ବୃତି କ୍ଷତିଗ୍ରସ୍ତ ହୋଇଛି । ଫଳରେ କଳାକାରମାନଙ୍କ ପରିବାର ପ୍ରତିପୋଷଣ ଲାଗି ସମସ୍ୟା ଦେଖାଦେଇଛି । ତାଲାବନ୍ଦ ସମୟରେ କଳାକୁ ପେଷା ଭାବରେ ଗ୍ରହଣ କରିଥିବା କଳାକାରମାନଙ୍କର ଆର୍ଥିକ ସ୍ଥିତି ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କଳାକାରମାନଙ୍କ ପକ୍ଷରୁ ଦାବି ହେଉଛି । ଯେଉଁ ସ୍ୱଳ୍ପ ସଂଖ୍ୟକ କଳାକାରମାନେ ମୁଖ୍ୟମନ୍ତ୍ରୀ କଳାକାର ଭତା ପାଉଥିଲେ,ସେମାନଙ୍କୁ ଗତ ୬ ମାସ ହେଲା ମାସିକ ଭତା ପ୍ରଦାନ କରାଯାଇ ନାହିଁ । ଫଳରେ ତାଲାବନ୍ଦ ସମୟରେ ସେମାନେ ବହୁ ଦୁର୍ଦ୍ଧଶା ମଧ୍ୟ ଦେଇ ଗତି କରୁଛନ୍ତି । କେଦ୍ଧ୍ରାପଡା ଜିଲାରେ ୧୫୭୯ଜଣ କଳାକାରମାନଙ୍କୁ ଭତା ପ୍ରଦାନ କରାଯାଉଥିଲା । ସେମାନଙ୍କୁ ଭତା ମିଳି ନ ଥିବାରୁ ଲକ ଡ଼ାଉନ୍ ସମୟରେ ପରିବାର ପ୍ରତିପୋଷଣ କରିବା ପାଇଁ ନାନା ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତି । ଯେଉଁ ବଦ୍ୟ କଳାକରମାନେ କଳାକୁ ବେଉଷା କରି ପରିବାର ପ୍ରତିପୋଷଣ କରୁଥିଲେ,ଏବେ କରୋନା ମହାମାରୀ ଯୋଗୁଁ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରି କଟକଣା ଜାରି କରିଥିବାରୁ ହଜାର ହଜାର ଏହି ବର୍ଗର କଳାକାରମାନେ ଅସୁବିଧା ମଧ୍ୟ ଦେଇ ଗତି କରୁଛନ୍ତି । ସରକାର କଳାକାର ମାନଙ୍କ ଦୁର୍ଦ୍ଧଶା ପ୍ରତି ଦୃଷ୍ଟି ଦେଇ ସାହାଯ୍ୟର ହାତ ବଢ଼ାଇବା ପାଇଁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର