ଗରଦପୁର , ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ବଳିଦାନ ଦିବସ ନୂଆପଡା ବଜାର ଠାରେ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି । ନୂଆପଡା ବଜାରରେ ଛକ ଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଆବକ୍ଷ ପ୍ରତିମୂର୍ତୀରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିବା ସହିତ ସ୍ୱର୍ଗତ ଗାନ୍ଧୀଙ୍କ ଶାସନ କାଳରେ ଦେଶରେ କରାଯାଇଥିବା କେତେକ ଜନ ହିତକର କାର୍ଯ୍ୟ ଓ ଶାସନ ବ୍ୟବସ୍ଥା ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା । ଗରଦପୁର ବ୍ଲକ କଂଗ୍ରେସ କମିଟି ସଭାପତି ଜ୍ୟୋତିରଞ୍ଜନ ପରିଡାଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ନିରଞ୍ଜନ ରାଉତ, ପୂର୍ବତନ କୃଷକ ନେତା ଅଜିତ୍୍ କୁମାର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପୃଷ୍ଟି, ଅରବିନ୍ଦ ନାୟକ, ଗୋପାଳ ଚନ୍ଦ୍ର ସାହୁ, ଅମରେନ୍ଦ୍ର ସାହୁ, ଶ୍ରୀନିବାସ ପଣ୍ଡା, ବାବାଜୀ ଚରଣ ବେହେରା ଓ ଚିତ୍ରୋତ୍ପଳା ବଣିକ ସଂଘର ଉପଦେଷ୍ଟା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ ଏବଂ ଅଭୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଗାନ୍ଧୀଙ୍କର ଆବକ୍ଷ ପ୍ରତି ମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ କର୍ମକର୍ତାମାନେ ନୂଆପଡା ବଜାରରେ ବିନା ମାସ୍କରେ ଯାତାୟତ କରୁଥିବା ସାଧାରଣ ଲୋକମାନଙ୍କୁ ମହାମାରୀ କରୋନା ଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ସହିତ ୫ଶହ ମାସ୍କ ଓ କିଛି ପରିମାଣରେ ସାନିଟାଇଜର ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର