Tuesday , June 6 2023
Breaking News
Home / କୃଷି / ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ବେନିୟମ ଭାବେ ତାରପୁର ସେବା ସମବାୟ ସମିତିରେ ୩ଶହରୁ ଉଦ୍ଧ୍ୱର୍ ଚାଷୀଙ୍କର ଟୋକନ୍ କୁ ବାତିଲ କରାଯାଇଥିଲା  ।  ପ୍ରକାଶ ଥାଉକି ଏହି ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା କରାଯାଇ ଚାଷୀ ମାନଙ୍କ ଅପେକ୍ଷା ବେପାରୀ ମାନଙ୍କଠାରୁ ଅଧିକ ଧାନ କିଣାଯାଇଅଛି । ଚାଷୀ ନାମ ପଂଜିକରଣରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ଏହି ସମବାୟ ସମିତିର ସଂପାଦକ ସନ୍ତୋଷ କୁମାର ଜେନାଙ୍କୁ କର୍ତୃପକ୍ଷ ବହିଷ୍କାର କରିଥିଲେ ।  ଗତ ମାର୍ଚ୍ଚ ୧୪ତାରିଖରେ ଟୋକନ ବାତିଲ ହୋଇଥିବା ୩ଶହରୁ ଉଦ୍ଧ୍ୱର୍ ଚାଷୀ ସେମାନଙ୍କର ନାମକୁ ପୁନର୍ବାର ପଂଜିକୃତ କରି ସେମାନଙ୍କଠାରୁ ଧାନ ସଂଗ୍ରହ ଦାବୀରେ ତାରପୁର ଶାଳିଜଙ୍ଗା ରାସ୍ତାର ଚିକିଣିଆ ହାଇସ୍କୁଲ ନିକଟରେ ରାସ୍ତାରେ ଧାରଣାରେ ବସିଥିଲେ  । ଏହି ସମୟରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସ୍ଥାନୀୟ ବିଧାୟକ ବିଜୟ ଶଙ୍କର ଦାସ ରଘୁନାଥପୁର ବ୍ଳକ୍ର ଚିକିଣିଆ ପଂଚାୟତର ହଂସୁଆ ନଦୀରେ ଦୁଇଟି ସେତୁର ଭିତିିପ୍ରସ୍ତର ଉତ୍ସବକୁ ଯିବା ସମୟରେ  ଟୋକନ ପାଇ ମଣ୍ଡି ଧାନ ନେଇନଥିବା ଶତାଧିକ ଚାଷୀ ଚିକିଣିଆ ଠାରେ ମନ୍ତ୍ରୀ ଓ ବିଧାୟକଙ୍କ ଗାଡି ଆଗରେ ଧାରଣା ଦେଇଥିଲେ  । ମନ୍ତ୍ରୀ ଶ୍ରୀ ଦାସ ଓ ବିଧାୟକ ଶ୍ରୀ ଦାସ ଟୋକନ ପାଇଥିବା ସମସ୍ତ ଚାଷୀମାନଙ୍କଠାରୁ  ଧାନ କ୍ରୟ କରାଯିବ ବୋଲି  ଚାଷୀମାନଙ୍କୁ ପ୍ରତିଶୃତି ଦେବା ପରେ ଚାଷୀମାନେ ରାସ୍ତା ଉପରୁ ଧାରଣା ପ୍ରତ୍ୟାହାର କରି ମନ୍ତ୍ରୀ ଓ ବିଧାୟକଙ୍କୁ ଯିବା ପାଇଁ ଛାଡିଥିଲେ  । ମାତ୍ର ମନ୍ତ୍ରୀ ପ୍ରତିଶୃତି କାର୍ଯ୍ୟକାରୀ ନହେବାରୁ ଚାଷୀମାନେ ବାଧ୍ୟ ହୋଇ ଗତ ମାର୍ଚ୍ଚ ୨୬ତାରିଖରେ କଟକ-ପାରାଦ୍ୱୀପ ରାସ୍ତାର ତାରପୁରଠାରେ ଚାଷୀମାନେ  ଆନ୍ଦୋଳନ କରିଥିଲେ  । ଧାରଣା କରିଥିଲେ ବିଭାଗୀୟ କର୍ତୃପକ୍ଷ ସେମାନଙ୍କ ଦାବିକୁ ଗ୍ରହଣ କରିନଥିଲେ  । ଶେଷରେ ଚାଷୀମାନେ ନିଜର ଭାଗ୍ୟକୁ ଆଦରି ଧାନକୁ ନିଜ ଘରେ ରଖି ଶାଗମୁଗ ଦରରେ ବେପାରିଙ୍କୁ ବିକ୍ରୟ କରିଛନ୍ତି  । ଏଠାରେ ପ୍ରଶ୍ନ ଉଠେ ସରକାର ସମବାୟ ସମିତିରେ ନାମ ପଞ୍ଜିକରଣ କରି ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ ନେଲେ ନାହିଁ ଅପରପକ୍ଷରେ ସେମାନଙ୍କ ନାମରେ ରଘୁନାଥପୁର ଥାନାରେ କେଶ୍ ନଂ ୩୯/୨୦୨୧ ମାମଲା ରୁଜୁ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ  । ଏହା ଚାଷୀମାନଙ୍କ ପ୍ରତି ଚରମ ଅନ୍ୟାୟ ବୋଲି ଏ ଅଂଚଳର ଚାଷୀମାନେ ମତ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ତୁରନ୍ତ କୃଷକମାନଙ୍କ ନାମରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଏ ଅଂଚଳର ଚାଷୀମାନେ ଦାବି  କରିଛନ୍ତି  ।  ଓଡ଼ିଶା ସମାଚାର

Leave a Reply

Your email address will not be published.