ପାରାଦ୍ୱୀପ ୧୯/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ କୋଭିଡ୍-୧୯ ଦ୍ୱିତୀୟ ଲହର ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଥିରେ ଗୁରୁତର ସଂକ୍ରମିତ ରୋଗିଙ୍କ ଚିକିତ୍ସାରେ ମେଡିକାଲ ଅକ୍ସିଜେନ ବା ଅମ୍ଳଜାନ ର ଆବଶ୍ୟକତା ପଡିଥାଏ । ରାଜ୍ୟରେ ଅକ୍ସିଜେନ ଭରପୁର ଉପଲବ୍ଧ ଥିବାବେଳେ ଏହାର ସିଲିଣ୍ଡର ର ଅଭାବ ରହିଛି । ଏହି ପରିପ୍ରେକ୍ଷୀରେ ସିଙ୍ଗାପୁରରୁ ୫୯ଟି ମେଡିକାଲ ଅକ୍ସିଜେନ ସିଲିଣ୍ଡର ମଙ୍ଗଳବାର ସଂନ୍ଧ୍ୟାରେ ପାରାଦ୍ୱୀପ ବନ୍ଦର ରେ ପହିଂଚିଛି । ସେଥିମଧ୍ୟରୁ ଏମଭି ଆନ୍ନା ମାରିଆ ଜାହାଜରେ ଆସିଥିବା ୪୦ ଲିଟର କ୍ଷମତା ବିଶିଷ୍ଟ ୨୪ଟି ଅକ୍ସିଜେନ ସିଲିଣ୍ଡର ସମେତ ୫ଟି ବ୍ରିଦିଙ୍ଗ ମେଡିକାଲ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିଜେନ୍ ରେଗୁଲେଟର-ହୁ୍ୟମିଡିଫାୟର୍ସ ଅନ୍ତର୍ଭୁକ୍ତ । ଏହି ଅକ୍ସିଜେନ ସିଲିଣ୍ଡର ଗୁଡିକ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାକୁ ପ୍ରଦାନ କରାଯିବ । ସେହିଭଳି ଏମଭି ଗ୍ଳୋରି ଆମଷ୍ଟରଡ୍ରାମ୍ ଜାହାଜରେ ୧୦ ଲିଟର କ୍ଷମତା ବିଶିଷ୍ଟ ୩୦ଟି ମେଡିକାଲ ଅକ୍ସିଜେନ ସିଲିଣ୍ଡର ଆସିଛି । ଏହି ସିଲିଣ୍ଡରକୁ “ସିପିଙ୍ଗ୍ ଲାଇନ୍ ଲୋଇସ୍ ଡ୍ରେଫସ୍ କମ୍ପାନୀ ଫ୍ରେଟ୍ ଏସିଆ” ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ କୋଭିଡ୍ ରୋଗିଙ୍ଗ ଚିକତ୍ିସାରେ ବ୍ୟବହାର ପାଇଁ ପଠାଇଥିବା ଜଣାପଡିଛି । ଏସବୁ ଅକ୍ସିଜେନ୍ ସିଲିଣ୍ଡର ଗୁଡିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର ଗ୍ରହଣ କରିଥିଲେ । ପାରାଦ୍ୱୀପ ବନ୍ଦର ଇତିହାସରେ ପ୍ରଥମଥର ଏହି ଧରଣର ମେଡିକାଲ ଅକ୍ସିଜେନ ସିଲିଣ୍ଡର ପରିଚାଳନା କରାଯାଇଥିବା ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ଓଡ଼ିଶା ସମାଚାର