କେନ୍ଦ୍ରାପଡ଼ା, ୧୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ଏକ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ସେଥିରେ ବାପା ଓ ପୁଅ ଗୁରୁତର ଆହତ ହୋଇଥିବା ବେଳେ ବାପାର ବାମ ହାତର ଆଙ୍ଗୁଠିଟିି କଟି ଯାଇଛି । ସେହିପରି ମା’ର ମୁଣ୍ଡଟି ଫାଟିଯାଇଛି । ଚିକିତ୍ସା ପାଇଁ ବାପାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ପରିବାରର ସଦସ୍ୟ ହେଲେ ସେଖ ଅଫତାବ ଆଲମ(୨୫) ଓ ସେକ ତୟବ ଆଲମ(୫୪), ମା’ ଆସମା ବେଗମ(୪୨), ଭାଇ ଜବାହିର ଆଲମ(୨୩) ଓ ସୋଏବ ଆଲମ(୧୯) । ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଠାକୁରପାଟଣାର ସେକ ତୟବ ଆଲାମ ତାଙ୍କ ଘର ନିକଟରେ ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାରେ ବସିଥିବା ବେଳେ କୌଣସି କାରଣରୁ ତାଙ୍କ ଘର ନିକଟ ପଚିଆ ବେହେରାଙ୍କର ତାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ସେଥିରେ ପଚିଆ ଉତ୍ୟକ୍ତ ହୋଇ ସେକ ତୟବଙ୍କୁ ହତ୍ୟା କରିବେ ବୋଲି କହି ଘରୁ ଏକ କଟୁରୀ ଆଣିଥିଲେ । ଏଥିସହ ପଚିଆ ତାଙ୍କ ସହ ଆଉ କେତେକ ସହଯୋଗୀଙ୍କୁ ମଧ୍ୟ ଆଣିଥିଲେ ।
ସେ କଟୁରୀରେ ସେକ ତୟବର ବେକକୁ ଏକ ଚୋଟ ପକାଉଥିବା ବେଳେ ସେ ତାଙ୍କ ହାତ ଦେଖାଇ ଦେଇଥିଲେ । ଫଳରେ କଟୁରୀ ଚୋଟଟି ତାଙ୍କ ବାମ ହାତ ଆଙ୍ଗୁଠିରେ ବାଜିବାରୁ ତାଙ୍କ ବାମ ହାତ ଆଙ୍ଗୁଠିଟିି କଟି ଯାଇଥିଲା । ଏଭଳି ଘଟଣାକୁ ତୟବଙ୍କ ପୁତ୍ର ଅଫତାବ ଓ ଅନ୍ୟ ପରିବାର ସଦସ୍ୟମାନେ ବିରୋଧ କରିବାରୁ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏ ନେଇ ଥାନାରେ ପଚିଆ ବେହେରା, ପେଚ ସେଠୀ, ପ୍ରକାଶ ବେହେରା, ରବି ବେହେରା, କାଳିଆ ବେହେରା, ନନୁ ସେଠୀ, ରବି ବେହେରା, ବାଇନ ସେଠୀ ଓ ପିନ୍ଟୁସେଠୀ ପ୍ରମୁଖଙ୍କ ବିରୁଦ୍ଧରେ ଅଭିଯୋଗ ହେବା ପରେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଓଡ଼ିଶା ସମାଚାର