ଗରଦପୁର, ୧୯/୦୫/୨୦୨୧(ଓଡ଼ିଶା ସମାଚାର)- ମାତ୍ର ୬ ମାସ ତଳେ ନବବଧୁ ସାଜିଥିବା ସଂଯୁ ଆଜି ଶବ ପାଲଟିଛି । ଯୌତୁକ ନିର୍ଯ୍ୟାତନା ରେ ନିର୍ଯ୍ୟାତିତ ସଂଯୁ ଜୀବନ ହାରିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରାଇ ଗ୍ରାମରେ ଘଟିଛି । ନବ ବିବାହିତ ସଂଯୁର ଶବ ଜବତ କରି ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ସୂତ୍ର ରୁ ପ୍ରକାଶ ଯେ ଛତିଆ ରୁ ପୁରୀରେ ଯାଇ ଅବସ୍ଥାନ କରୁଥିଲେ ସଂଯୁଙ୍କ ପରିବାର । ସଂଯୁ ଙ୍କ ମା ଟେଲର କାମ କରନ୍ତି । ଗତ ୬ ମାସ ତଳେ ସଂଯୁ (୨୩) ଙ୍କର ପାଟକୁରା ଥାନା କଉଡ଼ିଆବରେଇ ଗ୍ରାମର କେଦାର ନାୟକ(୩୦)ଙ୍କ ସହିତ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ସଂଯୁ ଶାଶୁ ଘରେ ସ୍ୱାମୀ ଙ୍କ ସହ ରହୁଥିଲେ । ଅଳ୍ପ କିଛି ଦିନ ଠିକ ଠାକ ଚାଲିବା ପରେ ଅଧିକ ଯୌତୁକ ଆଣିବା ଦାବିରେ କେଦାରଙ୍କ ପରିବାର ସଂଯୁଙ୍କୁ ମାନସିକ ଓ ଶାରିରିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏ ସମ୍ପର୍କରେ ସଂଯୁ ପାଖରୁ ଖବର ପାଇ ତାଙ୍କ ମା ଦୁଇ ଥର ଆସି ବୁଝା ସୁଝା କରି ଫେରିଯାଇଥିଲେ । କିନ୍ତୁ ସଂଯୁଙ୍କ ଉପରେ ନିର୍ଯ୍ୟାତନା ଜାରି ରହିଥିଲା । ସଂଯୁ ଅଧିକାଂଶ ସମୟ ଭୋକ ଉପବାସରେ ରହୁଥିଲା । ବହୁ ସମୟରେ ସ୍ୱାମୀ କେଦାର ମଧ୍ୟ ନିର୍ଯ୍ୟାତନା ଦେଇଆସୁଥିଲେ । ଗିକାଲି ରାତିରେ ସଂଯୁକୁ ପିଟି ପିଟି ମାରିଦେଇ ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ସଂଯୁଙ୍କ ମା ମିନତି ନାଥ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଟକୁରା ଥାନା ପୋଲିସ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ମାମଲା ରୁଜୁ କରିବା ସହିତ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିଛି । ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ମାଜିଷ୍ଟ୍ରେଟ ଭାବରେ ସେଠାରେ ପହଂଚି ତାଙ୍କ ଉପସ୍ଥିତିରେ ପୋଲିସ ଶବ ପଂଚନାମା କରିଛି । ଶବକୁ ବ୍ୟବଛେଦ କରିବା ପାଇଁ କେନ୍ଦ୍ରାପଡ଼ା ପଠାଯାଇଛି । ସଂଯୁ ର ସ୍ୱାମୀ କେଦାରକୁ ପୋଲିସ ପାଟକୁରା ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଥିବା ପାଟକୁରା ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର