ସମସ୍ତ ଗ୍ରାମବାସୀଙ୍କ ସ୍ୱାବଟେଷ୍ଟ ଏବଂ କଣ୍ଟେନମେଣ୍ଟ ଜୋନ କରିବାକୁ ଦାବି
ଭୁବନ ୧୯/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗ ଓଡିଶ ପଂଚାୟତର ବଡକାଠିଆ ଗ୍ରାମର ଜନୈକ କୋଭିଡ ପଜିଟିଭ ବ୍ୟକ୍ତିଙ୍କ ଶବଦାହ କରି ମାଲଭାଇ ମାନେ କ୍ୱାରଣ୍ଟାଇନରେ ରହିଥିବା ଗ୍ରାମରେ ଏବେ କୋକୁଆ ଭୟ ଯୋଗୁ ଗ୍ରାମବାସୀ ମାନେ ମଧ୍ୟ ତାଟିକବାଟ ପକାଇ ରହିଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ବଡକାଠିଆ ଗ୍ରାମର ଜନୈକ ବ୍ୟକ୍ତି ଗତ ସପ୍ତାହେ ହେଲା ଜ୍ୱରରେ ପୀଡିତ ଥାଇ ତୁଟୁକା ଓøଷଧ ଖାଉଥିଲେ । ଜ୍ୱର ନକମିବାରୁ ଗତକାଲି ସକାଳେ ପରିବାର ବର୍ଗ ତାଙ୍କୁ ଭୁବନେଶ୍ୱରସ୍ଥ କିମ୍ସ ହସ୍ପିଟାଲକୁ ନେଇଥିଲେ । ସେଠାରେ ପ୍ରଥମେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । କିନ୍ତୁ କିଛି ସମୟ ପରେ ସେ ମୃତ୍ୟୁ ବରଣ କରିଥିଲେ । ପରିବାର ବର୍ଗ ତାଙ୍କ ମୃତଦେହକୁ ଗ୍ରାମକୁ ନେଇ ଆସି ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ । ଗତକାଲି ସଂଧ୍ୟାରେ ତାଙ୍କ ପୁଅ ମୋବାଇଲକୁ କିମ୍ସ ହସ୍ପିଟାଲରୁ ଏକ ହ୍ୱାଟସଆପ ମେସେଜ ଆସିଥିଲା,ଯେଉଁଥିରେ କି ସେ କୋଭିଡ ପଜିଟିଭ ଥିଲେ ବୋଲି ରିପୋର୍ଟ ଉଲ୍ଲେଖ ଥିଲା । ଏହି ଖବର ପ୍ରଚାରିତ ହେବା ପରେ ଶବକୁ କାନ୍ଧେଇ ନେଇଥିବା ଓ ଶବଦାହ କରିଥିବା ମାଲଭାଇ ଙ୍କ ସମେତ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତି ମାନେ ଭୟଭୀତ ହୋଇ ପଡିଥିଲେ । ୨୦ ଜଣ ବ୍ୟକ୍ତି ଗତକାଲି ରାତିରୁ ବଡକାଠିଆ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ବେଳେ ଗ୍ରାମବାସୀମାନେ ଭୟରେ ତାଟିକବାଟ ପକାଇ ଘରେ ରହିଛନ୍ତି । ବିଦ୍ୟାଳୟରେ ଥିବା ମାଲଭାଇ ମାନଙ୍କ ଖାଇବା ପିଇବା ପାଇଁ ସରପଂଚ ଡାଲି, ଚାଉଳ, ପରିବା ଇତ୍ୟାଦି ଯୋଗାଇ ଦେଇଛନ୍ତି ଓ ସେମାନେ ନିଜେ ରୋଷେଇ କରି ଖାଉଛନ୍ତି । ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଁଚିନାହାଁନ୍ତି । ବଡକାଠିଆ ଗ୍ରାମକୁ ସଂପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ କରାଯିବା ସହିତ ସମସ୍ତ ଗ୍ରାମବାସୀଙ୍କର କୋଭିଡ ଟେଷ୍ଟ କରାଯିବାକୁ ଦାବି ହୋଇଛି । ଓଡ଼ିଶା ସମାଚାର