Tuesday , March 28 2023
Breaking News
Home / ବିଶେଷ / ୨୪ ତାରିଖରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ – ସରପଞ୍ଚଙ୍କୁ ପୁଣି ଜିଲ୍ଲାପାଳ କ୍ଷମତା – ବିଧାୟକଙ୍କ ପାଣ୍ଠିରୁ ମାସ୍କ କିଣାଯାଇ ବଂଟନ କରାଯିବ

୨୪ ତାରିଖରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ – ସରପଞ୍ଚଙ୍କୁ ପୁଣି ଜିଲ୍ଲାପାଳ କ୍ଷମତା – ବିଧାୟକଙ୍କ ପାଣ୍ଠିରୁ ମାସ୍କ କିଣାଯାଇ ବଂଟନ କରାଯିବ

ଭୁବନେଶ୍ୱର,୧୮/୦୫/୨୦୨୧(ଓଡ଼ିଶା ସମାଚାର)- କରୋନାର ଦ୍ଵିତୀୟ ଲହରୀ ମୁକାବିଲା କରିବା ପାଇଁ  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମେଁ ୨୪ ତାରିଖରୁ ଆଶା କର୍ମୀ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ । ଗତ ବର୍ଷ ପରି ସରପଞ୍ଚଙ୍କୁ ପୁଣି ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ଗାଁ ରେ ବିଧାୟକଙ୍କ ପାଣ୍ଠିରୁ ମାସ୍କ କିଣାଯାଇ ବଂଟାଯିବ  ବୋଲି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ମଇଁ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ୟ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ  । ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ  ସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଛନ୍ତି।

କରୋନା ମହାମାରୀ ଓ ତାହାର ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ୟ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୁପ ଠାରୁ କିଣି  ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ  ଖର୍ଚ୍ଚ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେହେତୁ ବିଧାୟକ ମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି କୋଭିଡ ମୃତକଙ୍କ ପରିବାରର ବିଧବା ଓ  ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ଫେରାଇ ଦେଇଛନ୍ତି। ଲକ୍‌ଡାଉନ୍, ଟିଏମ୍‌ସି ନିଷ୍ପତ୍ତି ନେଇପାରିବେ ସରପଞ୍ଚ  । ଲକ୍‌ଡାଉନ୍ କାର୍ୟ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ। କରୋନା ବିରୁଦ୍ଧରେ ସଫଳ ଲଢେଇ ପାଇଁ ଟିକାକରଣ ହେଉଛି ମୁଖ୍ୟ ରଣକୌଶଳ। ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ସରକାର ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରଙ୍କୁ ରାସ୍ତା ଦେଖାଇବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଛି। ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିଛି ଓ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି। ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଆଇସିୟୁ ଓ ଏଚ୍‌ଡିୟୁ ଶଯ୍ୟାରେ ବୃଦ୍ଧି କରାଯାଇଛି। ପ୍ରତି ଜିଲ୍ଲାରେ ଅକ୍ସିଜେନ ସଂଯୁକ୍ତ ଶଯ୍ୟା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ତ୍ରୁଟିଶୂନ୍ୟ ଅକ୍ସିଜେନ ଯୋଗାଣ ପାଇଁ ଅଧିକ ଅକ୍ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ୟ୍ୟ ତଦାରଖ କରାଯାଉଛି। ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆମଦାନି କରାଯାଉଛି। ଜରୁରୀ ଔଷଧ ଓ ଅକ୍ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସରକାର ଦୃଷ୍ଟି ରଖିଛନ୍ତି। ଏହାସତ୍ତ୍ବେ ରାଜ୍ୟରେ ଅକ୍ସିଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଦ୍ବାରା ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି ଓ ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କୋଭିଡ ଯୋଗୁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ଆଶ୍ବାସନା ଦେଇ ନବୀନ ଆହୁରି ଘୋଷଣା କରିଥିଲେ ଯେ କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା’ ଙ୍କୁ ହରାଇ ଥିବା ପିଲାମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହି ପିଲାମାନଙ୍କ ପାଇଁ ସରକାର ମାଗଣା ଶିକ୍ଷା ବ୍ୟବସ୍ଥା କରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହର ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୁଦ୍ଧରେ ଆମର ଲଢେଇକୁ ଆହୁରି ମଜବୁତ କରିବାକୁ ହେବ। ଓଡ଼ିଶାରେ ଗତ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ସଂକ୍ରମଣ ବଢୁଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖାଯାଇଛି। ଏଥିପାଇଁ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ଯେଉଁମାନେ ଦିନରାତି ପରିଶ୍ରମ କରୁଛନ୍ତି, ସେମାନେ ଧନ୍ୟବାଦର ପାତ୍ର। ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତିମଧ୍ୟରେ ସରକାର ନିଯୁକ୍ତି ଦେଇଛନ୍ତି। ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି।

ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।

ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ୍ କରିଛୁ। କିନ୍ତୁ କେବଳ ଲକ୍‌ଡାଉନ୍ ଏହାର ସମାଧାନ ନୁହେଁ। କାରଣ ଏହାଦ୍ବାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି। ଏହା ଏକ ଲମ୍ବା ଲଢେଇ। ତେଣୁ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ଆଦି ନିୟମକୁ କଡାକଡି ଭାବରେ ପାଳନ କରାଯିବା ଉଚିତ୍। ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ୟ୍ୟ ବିଶେଷତଃ, ମିସନ ଶକ୍ତି ଗ୍ରୃପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ।

ସମସ୍ତଙ୍କ ସହଯୋଗରେ କୋଭିଡ ଲଢେଇରେ ମଧ୍ୟ ଓଡିଶା ସଫଳ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଯେହେତୁ ବିଧାୟକମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ଦରକାର।

”ପ୍ରତ୍ୟେକ ଜୀବନ ମୂଲ୍ୟବାନ’।ଏହି ନୀତିରେ ହିଁ ଆମେ କାମ କରିଚାଲିଛୁ ଏବଂ ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ତାଙ୍କର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.