କେନ୍ଦ୍ରାପଡ଼ା,୧୮/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ସ୍ୱାଧାର ଗୃହରୁ ଅନ୍ତେବାସୀମାନଙ୍କୁ ରବିବାର କରୋନା ଜନିତ ସଟଡାଉନ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନର ବେଆଇନ ଭାବେ ଜୋରଜବରଦସ୍ତି ସ୍ଥାନାନ୍ତର ଉଦ୍ୟମକୁ ବିରୋଧ କରିଥିଲେ ଅନ୍ତେବାସୀ ମହିଳା । ସ୍ଥାନାନ୍ତର ପାଇଁ କୌଣସି ସରକାରୀ ନିର୍ଦେଶ ଦେଖାଇପାରିନଥିବା ବେଳେ ରାତିରେ ହାତଗଣତି କେତେକ ଅନ୍ତେବାସୀ ମହିଳାଙ୍କୁ ସେମାନେ ଜୋରଜବରଦସ୍ତି ସେଠାରୁ ନେଇଯାଇଥିବା ବେଳେ ଅନ୍ୟମାନଙ୍କ ବିରୋଧର ଶୀକାର ହୋଇ ଶେଷରେ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ଅନ୍ତେବାସୀ ମହିଳାମାନେ ଅଭିଯୋଗ କରିଛନ୍ତି ଯେ ସଂପୂର୍ଣ୍ଣ କୋଭିଡ ନିୟମକୁ ଉଲ୍ଲଂଘନ କରାଯାଇ ଜୋରଜବରଦସ୍ତି ସ୍ୱାଧାର ଗୃହର ଅନ୍ତେବାସୀ ମହିଳାମାନଙ୍କୁ ଟଣାଓଟରା କରି ସେମାନଙ୍କ ଇଛା ବିରୁଦ୍ଧରେ ଅମାନବିକ ଓ ବିବେକହିନ ଭାବରେ ସ୍ୱାଧାର ଗୃହରୁ ସ୍ଥାନାନ୍ତର କରାଯିବା ଉଦ୍ୟମକୁ ସେମାନେ ଘୋର ବିରୋଧ କରିବା ସହ ଛାଂଚୁଣି ଧରି ଗୋଡେଇଥିଲେ । ଫଳରେ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିକରଣ ପାଇଁ ଯାଇଥିବା ଅଧିକାରୀ ଓ କର୍ମଚାରୀମାନେ ସେଠାରୁ ପଳାଇଯିବାକୁ ବାଧ୍ୟ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶୁକ୍ରବାର ଲୁଥେରାନର ଶିଶୁ ଯତ୍ନ ଅନୁଷ୍ଠାନରୁ ରାତିରେ ବେଆଇନ ଭାବେ ସ୍ଥାନାନ୍ତରିତ ହୋଇଥିବା ଅନ୍ତେବାସୀମାନଙ୍କ ସ୍ଥାନାନ୍ତର ସମ୍ପର୍କରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତି ପ୍ରସାଦ ଦାସ ଓ.ଏସ.ସି.ପି.ଏସ.ର ନିର୍ଦେଶକଙ୍କ ନିର୍ଦେଶରେ ଏଭଳି ସ୍ଥାନାନ୍ତର କାର୍ଯ୍ୟ କରାଯାଉଛି ବୋଲି କହିଥିବା ବେଳେ ସେହି ସଂସ୍ଥାଟି କୌଣସି ସରକାରୀ ସଂସ୍ଥା ହୋଇନଥିବା ସୂଚନା ମିଳିଛି । ଓ.ଏସ.ସି.ପି.ଏସ. ହେଉଛି ଏକ ସ୍ୱେଛାସେବୀ ଅନୁଷ୍ଠାନ । ଏକ ସ୍ୱେଛାସେବୀ ଅନୁଷ୍ଠାନର ନିର୍ଦେଶରେ କଣ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ଦାସ ଏଭଳି ବେଆଇନ କାର୍ଯ୍ୟ କରିବାକୁ ନିର୍ଦେଶ ଦେଲେ ନା ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ଜିଲ୍ଲାର କେତେକ ଅଭିଯୁକ୍ତ ଅଧିକାରୀଙ୍କ ପ୍ରରୋଚନାରେ ଏଭଳି ବେଆଇନ କାର୍ଯ୍ୟ କରାଗଲା ତାହା ସାଧାରଣରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ନୀତି ନିୟମକୁ ଏକ୍ଷେତ୍ରରେ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଗରୀବ, ନିଷ୍ପେଶିତ, ଅସହାୟା ମହିଳାମାନଙ୍କ ପ୍ରତି ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି । ପୂର୍ବରୁ ଲୁଥେରାନର ଯୌନ କିଳେଙ୍କାରୀ ମାମଲାରେ ସଂପୃକ୍ତ ସରକାରୀ ଅଧିକାରୀ କିମ୍ବା ଲୁଥେରାନର ସଭାପତି, ସୁପରିନଟେଣ୍ଡେଂଟ ଓ ଲୁଥେରାନର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ସଭାପତିଙ୍କ ଭାଇଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସମର୍ଥ ହୋଇପାରିନଥିବା ବେଳେ ଏଭଳି ଗୋଟିକ ପରେ ଗୋଟିଏ ବେଆଇନ କାର୍ଯ୍ୟ କଣ ପାଇଁ କରାଯାଉଛି ତାହା ଜଣାପଡୁନାହିଁ । ପରନ୍ତୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଘଂଟ ଘୋଡାଇବାକୁ ଚେଷ୍ଟା କରିବା ସହ ସେମାନେ ସଂପୃକ୍ତ ଥିବା ଘଟଣାର ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିଦେବାକୁ ସୁଯୋଗ ଦେଉଛି ବୋଲି ଅଭିଯୋଗ ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ ବହୁ ଚର୍ଚ୍ଚିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପି.ଓ. ଆଇ.ସି.ଙ୍କୁ ପୂର୍ବରୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ଏବେ ତାଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀ ଜଣଙ୍କ ଜୋରଦାର ଉଦ୍ୟମ ଚଳାଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କନକଲତା ବେହେରା ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟମାନେ ଜୋରଜବରଦସ୍ତ ଲୁଥେରାନର ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ସେଠାରୁ ଅମାନବିକ, ବିବେକହୀନ ଓ ବେଆଇନ ଭାବରେ ସ୍ଥାନାନ୍ତର କରିବା ଉଦ୍ୟମ ସେମାନଙ୍କୁ ମହଙ୍ଗା ପଡିଥିବା ଜଣାପଡିଛି । ଓଡ଼ିଶା ସମାଚାର