Saturday , June 3 2023
Breaking News
Home / ବିଶେଷ / ରାଜ୍ୟ ସରକାରଙ୍କ ମଦ ନୀତି ବିରୁଦ୍ଧରେ ଏଆଇଏମଏସଏସ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ଦିବସ ପାଳିତ

ରାଜ୍ୟ ସରକାରଙ୍କ ମଦ ନୀତି ବିରୁଦ୍ଧରେ ଏଆଇଏମଏସଏସ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୭/୦୫/୨୦୨୧(ଓଡ଼ିଶା ସମାଚାର)- ଘରେ ଘରେ ମଦ ପହଂଚାଇବାର ସୁବନ୍ଦୋବସ୍ତ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଦୃଢ ବିରୋଧ କରି ସୋମବାର ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ(ଏ.ଆଇ.ଏମ.ଏସ.ଏସ.) ଓଡିଶା ରାଜ୍ୟ କମିଟି ପକ୍ଷରୁ ସାରା ଓଡିଶାରେ ପ୍ରତିବାଦ ଦିବସ ପାଳନ କରାଯାଇଛି । କରୋନା ମହାମାରୀ ଦ୍ୱିତୀୟ ଲହରର ଭୟଙ୍କର ସଂକ୍ରମଣରେ ଯେତେବେଳେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ହଜାର ହଜାର ସଂଖ୍ୟାରେ ମୃତୁ୍ୟ ବରଣ କରୁଛନ୍ତି ସେତେବେଳେ ସରକାର ତାର ପ୍ରତିକାର ପାଇଁ ବ୍ୟବସ୍ଥା କରିବା ପରିବର୍ତେ ଘରେ ଘରେ ମଦ ପହଂଚାଇବାର ବ୍ୟବସ୍ଥା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଯାହାକୁ ନିନ୍ଦା କରିବାର ଭାଷା ନାହିଁ । କରୋନା ଟୀକା ପାଇଁ ପ୍ରତିଦିନ ମେଡିକାଲ ସମ୍ମୁଖରେ ଶହ ଶହ ଲୋକ ଲାଇନ ଲଗାଇ ଶେଷରେ ଟୀକା ନପାଇ କେବଳ ହତାଶ ହୋଇ ଫେରୁନାହାନ୍ତି ବରଂ ସଂକ୍ରମଣ ନେଇ ଫେରୁଛନ୍ତି । ଡାକ୍ତରଖାନାରେ ଔଷଧ, ଶଯ୍ୟା, ଅକ୍ସିଜେନ, ଭେଂଟିଲେଟର ଆଦି ନପାଇ ମୃତୁ୍ୟ ବରଣ କରିବା ଭଳି ହୃଦୟ ବିଦାରକ ଘଟଣାମାନ ପ୍ରତିଦିନ ଘଟିଚାଲିଛି । ଲକଡାଉନ,ସଟଡାଉନରେ ଲୋକଙ୍କର ରୋଜଗାର ନାହିଁ । ସମସ୍ତ ଜିନିଷ ପତ୍ରର ଦାମ ହୁ ହୁ ହୋଇ ବଢିଚାଲିଛି । ଘରେ ଘରେ ଭୋକ ଉପାସରେ ଲୋକେ କାଳ କାଟୁଛନ୍ତି । ଅଥଚ ସରକାର ଏହିସବୁ ପରିସ୍ଥିତିର ସୁଧାର ଆଣିବା ପାଇଁ ବ୍ୟବସ୍ଥା କରିବା ପରିବର୍ତେ ନିଆଁରେ ଘିଅ ଢାଳିବା ଭଳି ପଦକ୍ଷେପ ନେଉଛନ୍ତି ବୋଲି ଏ.ଆଇ.ଏମ.ଏସ.ଏସ. କହିଛି । ଏଠାରେ ସୂଚନା ଯୋଗ୍ୟ ଯେ ଦୀର୍ଘବର୍ଷ ଧରି ରାଜ୍ୟର ଶୁଭବୁଦ୍ଧି ସମ୍ପନ୍ନ ଜନସାଧାରଣ ଓ ବିଶେଷ କରି ମହିଳାମାନେ ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ଏପରିକି ସେଥି ପାଇଁ ଲାଠିଗୁଳିର ଶୀକାର ମଧ୍ୟ ହୋଇଛନ୍ତି । ଅଥଚ ସରକାର ସେଥିପ୍ରତି କର୍ଣ୍ଣପାତ ନକରି ପ୍ରତିବର୍ଷ ମଦ ବ୍ୟବସାୟ ବୃଦ୍ଧି କରିଚାଲିଛନ୍ତି । ବର୍ତମାନର ସାମାଜିକ ଓ ପାରିବାରିକ ଜୀବନରେ ଭୟଙ୍କର ଭାବେ ବଢିଚାଲିଥିବା ସମସ୍ତ ପ୍ରକାର ଅପରାଧ, ଧର୍ଷଣ, ହତ୍ୟା ଆଦିର ମୁଳ କାରଣ ଯେ ମଦ ଏଥିରେ କୌଣସି ସନ୍ଦେହ ନାହିଁ । ଏଣୁ ଏହି ପରିସ୍ଥିତିରେ ମଦ ନୁହେଁ ଘରେ ଘରେ ମାଗଣାରେ କରୋନା ଟୀକା ଦିଅ, ଘରେ ଘରେ ଖାଦ୍ୟଦ୍ରବ୍ୟ ଯୋଗାଇଦିଅ, ଚିକିତ୍ସା ବ୍ୟବସ୍ଥା ସୁଦୃଢ କର, ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କର ପ୍ରଭୃତି ସଂଗଠନ ପକ୍ଷରୁ ଦାବି କରାଯାଇଛି । କରୋନା ମହାମାରୀର ଭୟଙ୍କର ସଂକ୍ରମଣ ଓ ଅତ୍ୟନ୍ତ ଅସ୍ୱାଭାବିକ ପରିସ୍ଥିତି ଯୋଗୁ ରାଜ୍ୟର କୋଣ ଅନୁକୋଣରେ ଶହ ଶହ ସଂଖ୍ୟାରେ ମହିଳା ଓ ଛାତ୍ରୀମାନେ ପ୍ଲାକାର୍ଡ ଧରି ଅନଲାଇନରେ ପ୍ରତିବାଦ କରିବା ସହିତ ସଂଗଠନର ସମସ୍ତ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଓ ରାଜ୍ୟ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରେରଣ କରାଯାଇଛି ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.