ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ମହାମାରୀ କୋଭିଡ଼ ଭଳି ଏକ ଭୟଙ୍କର ଦୁଃସ୍ଥିତି ସମୟରେ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ନର୍ସ (ସେବିକା)ମାନଙ୍କର ଭୂମିକା ଅତୁଳନୀୟ । ପରିବାରକୁ ଛାଡ଼ି ସେମାନେ ଯେପରି ମାସ ମାସ ଧରି ସଂକ୍ରମିତଙ୍କ ସେବାରେ ରାତିଦିନ ଖଙ୍କି ଚାଲିଛନ୍ତି ତାହା ଅନସ୍ୱୀକାର୍ଯ୍ୟ । ଜୀବନକୁ ବାଜି ଲଗାଇ ପ୍ରତିଟି ମୁହୂର୍ତ ରୋଗୀ ସେବାରେ ଲାଗି ପଡ଼ିଥିବା ସେବିକାଙ୍କୁ ବିଶ୍ୱ ନର୍ସିଂ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ବ୍ୟକ୍ତିଗତ ଭାବେ ଫୋନ୍ କରି କଥା ହୋଇଛନ୍ତି ।
ତେବେ, ଏ କ୍ଷେତ୍ରରେ ସେବିକା ତଥା ରାଜ୍ୟ ନର୍ସିିଂ ସଂଘର କାର୍ଯ୍ୟକର୍ତା ମାଳତୀ ତ୍ରିପାଠୀଙ୍କ ସେବା ଅନନ୍ୟ । ୨୦୨୦ ମାର୍ଚ୍ଚ ମାସରୁ ଏଯାବତ୍ କଟକ ବଡ଼ ଡ଼ାକ୍ତରଖାନାରେ କୋଭିଡ଼ ସୁପରଭାଇଜର ଭାବରେ ସେ ସେବା ଯୋଗାଇ ଆସୁଛନ୍ତି । ଏହି ଦାୟିତ୍ୱ ସମ୍ପାଦନ ବେଳେ ନିଜର ଭଲ ପାଇବା ଓ ଭୟ ନକରି ସଂକ୍ରମିତଙ୍କୁ ଆପଣେଇ ନେବା ଫଳରେ ଅନେକଙ୍କର ‘ମାଳତୀ ଦିଦି’ ବହୁ ପରିଚୟର ପରିଧି ସୃଷ୍ଟି କରିପାରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନର୍ସିଂ ଦିବସ ଅବସରରେ ମାଳତୀଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କ ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଏହି ଅବସରରେ ରାଜ୍ୟ ନର୍ସିିଂ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ନର୍ସିଂ ନିର୍ଦ୍ଧେଶକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ବହୁବର୍ଷ ଧରି ସେବିକାମାନେ ପ୍ରଶାସନିକ ଅବହେଳାର ଶିକାର ହୋଇ ଆସୁଥିଲେ । ମାତ୍ର ରାଜ୍ୟ ସରକାର ସମ୍ପ୍ରତି ସଂଘର ବହୁ ଦାବିକୁ ପୂରଣ କରିବା ସହ ଯଥା ସମ୍ମାନ ଦେଇଛନ୍ତି । ନର୍ସିଂ ସଂଘ ଏଥିନେଇ ଖୁସି ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ନର୍ସିଂ ଅଧିକ୍ଷିକା ଳକ୍ଷ୍ମୀପି୍ରୟା ମଲ୍ଲିକ, ସହ ନର୍ସିଂ ଅଧିକ୍ଷିକା ଋକ୍ମଣୀ ବେହେରା ଓ ସଂଘ ପକ୍ଷରୁ ସଭାପତି ପ୍ରତିମା ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ଜେନା, ଆରତୀ ଖୁଂଟିିଆ, ମିନତୀ ଦାସ ଓ ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି ପ୍ରମୁଖ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଓଡ଼ିଶା ସମାଚାର