କରୋନା ଲକଡାଉନରେ ପ୍ରଶାସନିକ ଷଡଯନ୍ତ୍ର ! ନିଷ୍ପତିର ପୁନର୍ବିଚାର ପାଇଁ ଦାବି
ଭୁବନ ୧୬/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ଇଲେକ୍ଟ୍ରି ଅଫିସ ସମ୍ମୁଖ ଭଦଳିଆପଶି ମୌଜାର ଶ୍ମଶାନ ଜମିକୁ ପତିତ କିସମରେ ପରିବର୍ତନ କରି ନୂତନ ବସଷ୍ଟାଣ୍ଡ କରାଯିବାକୁ ପ୍ରଶାସନିକ ସ୍ତରରେ ହୋଇଥିବା ନିଷ୍ପତିକୁ ଭୁବନବାସୀ ତୀବ୍ର ବିରୋଧ କରିଛନ୍ତି । ଭୁବନର ବିଭିନ୍ନ ବଣିକ ସଂଘ,ଅନୁଷ୍ଠାନ ଓ ସଂଗଠନ ତରଫରୁ ଏ ସଂପର୍କରେ ସ୍ଥାନୀୟ ତହସିଲଦାର କାମାକ୍ଷାନଗର ଉପଜିଲ୍ଲାପାଳ,ଢେଙ୍କାନାଳ ଜିଲ୍ଲାପାଳ ଓ ଅଂଚଳିକ ପରିବହନ ଅଧିକାରୀ ଙ୍କ ନିକଟରେ ପ୍ରତିବାଦ/ଅଭିଯୋଗ କରାଯାଇଛି । ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ତରଫରୁ ଦିଆଯାଇଥିବା ପ୍ରତିବାଦ ପତ୍ରରେ ଉଲ୍ଲେଖ ଅଛି ଯେ,ଭୁବନ ତହସିଲ ଅନ୍ତର୍ଗତ ଭଦଳିଆପଶି ମୌଜା ଖାତା ନଂ-୪୩୬ ପ୍ଲଟ ନଂ-୩୦୦୧ ଏ୪.୩୪ ଡେ.ମି ଶ୍ମଶାନ କିସମ ଜାଗାରେ ଭୁବନର ୬ ଟି ୱାର୍ଡର ଜନସାଧାରଣ ଶବଦାହ କରିଆସୁଥିଲେ । ୧୯୭୨ ମସିହାରେ ଏନଏସି ଗଠନ ହେବା ପରେ ଉକ୍ତ ଜାଗାର କିଛି ଅଂଶରେ ଏନଏସି ଅଫିସ ନିର୍ମାଣ ହୋଇଥିଲା । ଏନଏସି ଅଫିସ ପଛପଟେ ଏବଏବି କାଁ ଭାଁ ଶବଦାହ କାର୍ଯ୍ୟ ହେଉଛି । କିଛି ଅଂଶରେ ଟ୍ୟାକ୍ସି ଷ୍ଟାଣ୍ଡ ହୋଇଥିବା ବେଳେ ବଳକା ବୃହତ ଅଂଶରେ ଗଣେଶ ମେଲଣ,ଯାତ୍ରା ପାର୍ଟି,ମୀନା ବଜାର ,ଦୀପାବଳି ସମୟରେ ବାଣ ଦୋକାନ ଖୋଲିବା ,ଏପରିକି ରାକନୈତିକ ସଭାସମିତି ମଧ୍ୟ ହେଉଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଜାଗାଟି ପ୍ରାକୃତିକ ଦୁର୍ବିପାକ (ବନ୍ୟା,ବାତ୍ୟା) ପାଇଁ ସଂରକ୍ଷଣ ରହିଅଛି । ୨୦୧୭ ମସିହାରେ ଏହି ଜାଗାରେ ବସଷ୍ଟାଣ୍ଡ କରିବା ସକାଶେ ପ୍ରଶାସନିକ ତତପରତା ପ୍ରକାଶ ପାଇବା ପରେ ଭୁବନରେ ତୀବ୍ର ଜନଅସନ୍ତୋଷ ଦେଖା ଦେବାରୁ ୩ ବର୍ଷ ହେଲା ଏହି କାର୍ଯ୍ୟ ବନ୍ଦ ରହିଥିଲା । ବର୍ତମାନ ମହାମାରୀ କରୋନା ଜନିତ ଲକଡାଉନ/ସଟଡାଉନରେ ଜନସାଧାରଣ ଘରୁ ପଦାକୁ ବାହାରୁନଥିବା ବେଳେ ସରକାରୀ କାର୍ଯ୍ୟାଳୟ ପ୍ରାୟତଃ ବନ୍ଦ ରହୁଥିବା ବେଳେ ଆଂଚଳିକ ପରିବହନ ଅଧିକାରୀ ଷଡଯନ୍ତ୍ର କରି ଭଦଳିଆ ପଶି ମୌଜା ଖାତା ନଂ-୪୩୬ ପ୍ଲଟ ନଂ-୩୦୦୧ ଏ୪.୩୪ ଡେ.ମି ଶ୍ମଶାନ କିସମ ଉକ୍ତ ଶ୍ମଶାନ ଜାଗାକୁ ପତିତ କିସମରେ ପରିବର୍ତନ କରି ୧ ଏକର ଜାଗାରେ ବସଷ୍ଟାଣ୍ଡ ନିର୍ମାଣ କରିବା ସକାଶେ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇବା ପରେ ତହସିଲଦାର ଗତ ତା ୨୯.୦୪.୨୦୨୧ ରିଖରେ ଚିଠି ନଂ-୧୮୧୨ ରେ ଏକ ସର୍ବସାଧାରଣ ନୋଟିସ ଜାରି କରିଛନ୍ତି । ଏନଏସି ଅଫିସ ଭିତରେ ଥିବା ନୋଟିସ ବୋର୍ଡରେ ଏହି ନୋଟିସ ମରାଯାଇଥିବା ଦେଖିବାକୁ ମିଳିବା ପରେ ସାରା ସହରରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । ଉକ୍ତ ସ୍ଥାନକୁ ସବୁଦିନ ପାଇଁ ସଂରକ୍ଷିତ ରଖାଯାଇ ଭୁବନ ଗୋପାଳପୁର ପଟଣା ୟୁନିଟ-୧୦ ହାଲଖାତା ନଂ-୩୨୫,ପ୍ଲଟ ନଂ-୪୬୨,ଏ୧.୨୦ ଡେ କିସମ ଘରବାରୀ ରେ ଅସୁରକ୍ଷିତ ଭାବେ ଭୁବନ ଥାନା କ୍ୱାଟର ରହିଅଛି । ସହର ଠାରୁ ୪ କିମି ଦୂର ବାଟତାରିଣୀ ଛକକୁ ଭୁବନ ଥାନା ଉଠିଯିବା ପରେ ଏହି ପୁରୁଣା ଥାନା ସ୍ଥାନଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଅଛି । ଗୋପାଳପୁର ପଟଣା ମୌଜା ପ୍ଲଟ ନଂ-୪୬୬ ଏ ୦.୨୫୭ ଡେ କିସମ- ଘରବାରୀ /୨ ରେ ଭୁବନ ବାଳିକା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଆବଶ୍ୟକ ସଂଖ୍ୟକ ଛାତ୍ରୀ ନହେବାରୁ ଏହି ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯାଇଅଛି । ସେବେଠାରୁ ଏହି ବିଦ୍ୟାଳର ଗୃହ ଓ ପରିସର ଅବ୍ୟବହୃତ ହୋଇ ପଡିରହି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । । ଅନୁରୂପ ଭାବେ ଗୋପାଳପୁର ପଟଣା ମୌଜା ପ୍ଲଟ ନଂ-୪୬୭ ଏ ୦.୧୬୮କିସମ-ଘରବାରୀ/୨ ରେ ବନବିଭାଗ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଦୀର୍ଘଦିନ ହେବ ବନବିଭାଗ କାର୍ଯ୍ୟାଳୟଟି ତହସିଲ ଅଫିସ ନିକଟସ୍ଥ ଭଦଳିଆପଶି ମୌଜା ୟୁନିଟ-୧ ରେ ପ୍ରାୟ ୨ ଏକର ଜାଗାରେ ନୂତନ କାର୍ଯ୍ୟାଳୟ ନିର୍ମାଣ ହେବାପରେ ପୁରୁଣା କାର୍ଯ୍ୟାଳୟଟି ଏବେ ଭୂତକୋଠିରେ ପରିଣତ ହୋଇଛି । ଉପରୋକ୍ତ ୩ ଟି ସ୍ଥାନ ଅଦ୍ୟାବଧି ରାଜସ୍ୱ ବିଭାଗ ରକ୍ଷିତ ଖାତାରେ ଥାଇ କୌଣସି କାର୍ଯ୍ୟାଳୟ ନାମରେ ରେକର୍ଡ ହୋଇନାହିଁ । ସ୍ୱାଧିନତା ପୂର୍ବରୁ ଭୁବନ ନୂଆବଜାରରେ ବସଷ୍ଟାଣ୍ଡ ଥିଲା ଆଉ ଏବେ ବି ରହିଛି । ଭୁବନର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା,ଦୋକାନ ଓ ଗାଡିମୋଟର ଦୃଷ୍ଟିରୁ ଏହାକୁ ସଂପ୍ରସାରଣ କରାଯିବା ଜରୁରୀ । ଭୁବନ ଏନଏସିର ୧୫ ଟି ୱାର୍ଡ ମଧ୍ୟରୁ ୧୪ ଟି ୱାର୍ଡର ଜନସାଧାରଣ ଏହା ଉପରେ ନିର୍ଭରଶୀଳ ଓ ପ୍ରାୟ ୩ ଶହ ବ୍ୟବସାୟୀ ମଧ୍ୟ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ଏଠାରୁ ବସଷ୍ଟାଣ୍ଡ ଉଠିଗଲେ କେବଳ ବସଷ୍ଟାଣ୍ଡ(ନୂଆବଜାର) ର ୩ ଶହ ବ୍ୟବସାୟୀଙ୍କ ସମେତ ଗଣେଶ ବଜାର,ଗୁଜୁରୀ ବଜାର ର ଶହଶହ ବ୍ୟବସାୟୀ ମଧ୍ୟ କ୍ଷତିଗ୍ରସ୍ତ ହେବେ । ତେଣୁ ଭଦଳିଆପଶି ମୌଜାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାନଯାଇ ନୂଆବଜାର (ବସଷ୍ଟାଣ୍ଡ) ସଂଲଗ୍ନ ଅବ୍ୟବହୃତ ଅବସ୍ଥାରେ ଥିବା ପୁରୁଣା ଥାନା,ବନବିଭାଗ କାର୍ଯ୍ୟାଳୟ ଓ ବାଳିକା ପ୍ରାଥମିକ ବିଦ୍ୟାଳୟ ଜାଗାକୁ ମିଶ୍ରଣ କରାଗଲେ ଭୁବନ ବସଷ୍ଟାଣ୍ଡର ନବକଳେବର ହେବା ସହିତ ଭୁବନବାସୀଙ୍କ ସ୍ୱାଭିମାନ ରକ୍ଷା ହୋଇପାରିବ ବୋଲି ନିବେଦନ କରାଯିବା ସହିତ ନୋଟିସ ନଂ-୧୮୧୨କୁ ରଦ୍ଧ କରି ଏହାର ପୁନର୍ବିଚାର କରିବାକୁ ଭୁବନବାସୀଙ୍କ ତରଫରୁ ଦାବି ହୋଇଛି । ଏ ସଂପର୍କରେ ତହସିଲଦାର ପ୍ରଭାସ କୁମାର ବେହୁରାଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେବାକୁ ମନା କରିଥିଲେ । ଓଡ଼ିଶା ସମାଚାର