Saturday , June 3 2023
Breaking News
Home / ବିଶେଷ / ଲୁଥେରାନର ସା’ରୁ ଅନ୍ତେବାସୀଙ୍କୁ ଅନିଛା ସତ୍ୱେ ସ୍ଥାନାନ୍ତରୀକରଣ

ଲୁଥେରାନର ସା’ରୁ ଅନ୍ତେବାସୀଙ୍କୁ ଅନିଛା ସତ୍ୱେ ସ୍ଥାନାନ୍ତରୀକରଣ

କେନ୍ଦ୍ରାପଡ଼ା,୧୫/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ସ୍ପେସାଲ ଆଡପସନ ଏଜେନ୍ସି (ସା)ର ଅନ୍ତେବାସୀ ଶିଶୁମାନଙ୍କୁ ଶନିବାର କରୋନା ଜନିତ ସଟଡାଉନ ଜାରି ରହିଥିବା ବେଳେ ବେଆଇନ ଭାବେ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ପଲ୍ଲିଶ୍ରୀ ମହିଳା ସମିତିକୁ ସ୍ଥାନାନ୍ତର କରାଯାଇଛି । ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ସ୍ପେସାଲ ଆଡପସନ ଏଜେନ୍ସି (ସା)ର ପରିଚାଳକ କିଶୋର ଚନ୍ଦ୍ର ମାହାଳି କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ କୋଭିଡର ସଟଡାଉନ ସମୟରେ ସା’ର ଅନ୍ତେବାସୀ ଶିଶୁମାନଙ୍କୁ ସ୍ଥାନାନ୍ତର କରାନଯିବାକୁ ଲିଖିତ ଭାବେ ନିବେଦନ କରିଥିଲେ ବି ସେହି ନିବେଦନକୁ ଗୁରୁତ୍ୱ ଦିଆନଯାଇ ସ୍ଥାନାନ୍ତର କାର୍ଯ୍ୟ କରାଯାଇଥିଲା । ପରିଚାଳକ ଶ୍ରୀ ମାହାଳି ଆହୁରି ଅଭିଯୋଗ କରିଛନ୍ତି ଯେ ସଂପୂର୍ଣ୍ଣ କୋଭିଡ ନିୟମକୁ ଉଲ୍ଲଙ୍ଘନ କରାଯାଇ ଜୋରଜବରଦସ୍ତି ଅନ୍ତେବାସୀ ଶିଶୁମାନେ କ୍ରନ୍ଦନ କରୁଥିବା ସମୟରେ ସେମାନଙ୍କ ଇଛା ବିରୁଦ୍ଧରେ ସା’ରୁ ସ୍ଥାନାନ୍ତର କରାଯାଇଛି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ପୂର୍ବରୁ ପଲ୍ଲିଶ୍ରୀ ନାମରେ ପିଲା ବିକ୍ରୀ ଭଳି ବହୁ ସଂଗିନ ଅଭିଯୋଗ ଥିଲେବି ସେସବୁକୁ ଆଖିବୁଜି ଦେଇ ଶିଶୁ ମଙ୍ଗଳ ସମିତି ଏଭଳି କାର୍ଯ୍ୟ କରିଛି । ପଲ୍ଲିଶ୍ରୀ ମହିଳା ସମିତିକୁ କିଛି ଦନ ତଳେ ପରିଦର୍ଶନରେ ଆସିଥିବା ଏକ ରାଜ୍ୟ ସ୍ତରୀୟ ଟିମ ବିରକ୍ତି ପ୍ରକାଶକରି ଯାଇଥିବା ବେଳେ ଏବଂ ପୂର୍ବରୁ ପଲ୍ଲିଶ୍ରୀର ସା’ ନିମନ୍ତେ ଲାଇସେନ୍ସ ନଥିବା ବେଳେ ଏହି ସ୍ଥାନାନ୍ତରର ମାତ୍ର ୪/୫ଦିନ ପୂର୍ବରୁ ତରବରିଆ ଭାବେ ସେହି ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଶୁକ୍ରବାର ଲୁଥେରାନର ଶିଶୁ ଯତ୍ନ ଅନୁଷ୍ଠାନରୁ ରାତିରେ ବେଆଇନ ଭାବେ ସ୍ଥାନାନ୍ତରିତ ହୋଇଥିବା ଅନ୍ତେବାସୀମାନଙ୍କ ସ୍ଥାନାନ୍ତର ସମ୍ପର୍କରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତି ପ୍ରସାଦ ଦାସଙ୍କୁ ପଚାରାଯିବାରେ ସେ କହିଥିଲେ ଯେ ଓ.ଏସ.ସି.ପି.ଏସ.ର ନିର୍ଦେଶକ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦେଶରେ ଏଭଳି ସ୍ଥାନାନ୍ତର କାର୍ଯ୍ୟ କରାଯାଉଛି । କିନ୍ତୁ ଓ.ଏସ.ସି.ପି.ଏସ.ର ନିର୍ଦେଶକଙ୍କ ଏଭଳି କୋଣସି ନିର୍ଦେଶ ଦେଖାଇବାକୁ ଅଧ୍ୟକ୍ଷ ସମର୍ଥ ହୋଇନଥିଲେ । ପରବର୍ତୀ ସମୟରେ ସେ ସମ୍ପର୍କରେ ଖୋଳତାଡ କରାଯିବାରେ ଜଣାପଡିଥିଲା ଯେ ଓ.ଏସ.ସି.ପି.ଏସ. ହେଉଛି ଏକ ସ୍ୱେଛାସେବୀ ଅନୁଷ୍ଠାନ । ସେହି ଅନୁଷ୍ଠାନର ନିର୍ଦେଶକ ଏଭଳି କୌଣସି ନିର୍ଦେଶ ଦେଇନଥିବା କହିଛନ୍ତି । ବ୍ୟକ୍ତଗତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ଜିଲ୍ଲାର କେତେକ ଅଭିଯୁକ୍ତ ଅଧିକାରୀଙ୍କ ପ୍ରରୋଚନାରେ ଏଭଳି ବେଆଇନ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ନୀତି ନିୟମକୁ ଏ କ୍ଷେତ୍ରରେ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି । ପୂର୍ବରୁ ଲୁଥେରାନର ଯୌନ କିଳେଙ୍କାରୀ ମାମଲାରେ ସଂପୃକ୍ତ ସରକାରୀ ଅଧିକାରୀ କିମ୍ବା ଲୁଥେରାନର ସଭାପତି, ସୁପରିନଟେଣ୍ଡେଂଟ ଓ ଲୁଥେରାନର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ସଭାପତିଙ୍କ ଭାଇଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆଜି ସୁଦ୍ଧା ସମର୍ଥ ହୋଇପାରିନାହିଁ । ପରନ୍ତୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ଘଂଟ ଘୋଡାଇବାକୁ ଚେଷ୍ଟା କରୁଛି ଏବଂ ସେମାନେ ସଂପୃକ୍ତ ଥିବା ଘଟଣାର ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିଦେବାକୁ ସେମାନଙ୍କୁ ସୁଯୋଗ ଦେଉଛି ବୋଲି ଅଭିଯୋଗ ହେଉଛି । ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କନକଲତା ବେହେରା ପ୍ରମୁଖ ଜୋରଜବରଦସ୍ତ ସା’ର ଅନ୍ତେବାସୀ ଶିଶୁମାନଙ୍କୁ ସେଠାରୁ କୋରୁଆ ପଲ୍ଲିଶ୍ରୀ ମହିଳା ସମିତିକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.