Wednesday , October 4 2023
Breaking News
Home / ବିଶେଷ / ରାତିଅଧିଆ ଶିଶୁ ସ୍ଥାନାନ୍ତରକୁ ନେଇ ଜାତୀୟ ମାନବଧିକାର କମିଶନରେ ମାମଲା ରୁଜୁ

ରାତିଅଧିଆ ଶିଶୁ ସ୍ଥାନାନ୍ତରକୁ ନେଇ ଜାତୀୟ ମାନବଧିକାର କମିଶନରେ ମାମଲା ରୁଜୁ

କେନ୍ଦ୍ରାପଡ଼ା,୧୫/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କସ୍ଥିତ ନିବେଦିତା ଆଶ୍ରମର ଶିଶୁ ଯତ୍ନ ଅନୁଷ୍ଠାନରୁ ରାତି ଅଧିଆ ଅନ୍ତେବାସୀ ଶିଶୁମାନଙ୍କୁ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନକୁ ସ୍ଥାନାନ୍ତର ନେଇ ମାନବଧିକାର କର୍ମୀ ଭଜମନ ବିଶ୍ୱାଳ ଜାତୀୟ ମାନବଧିକାର କମିଶନରେ ଏକ ମାମଲା ଦାୟର କରିଛନ୍ତି । ମାନବଧିକାର କର୍ମୀ ଶ୍ରୀ ବିଶ୍ୱାଳ ତାଙ୍କ ମାମଲାରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟ ଦ୍ୱାରା ପିଲାମାନଙ୍କ ମନରେ ମାନସିକତା ଆଘାତପ୍ରାପ୍ତ ହୋଇଛି । ଯାହାଦ୍ୱାରା ସେମାନଙ୍କର ମାନବଧିକାର କ୍ଷୂର୍ଣ୍ଣ ହୋଇଛି । ତେଣୁ ଏଭଳି କାର୍ଯ୍ୟ କରିଥିବା ସଂପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପ୍ରତି ଅନ୍ତେବାସୀଙ୍କୁ ଏହି ମାନସିକ ନିର୍ଯ୍ୟାତନା ପାଇଁ ୩ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୁରଣ ପ୍ରଦାନ କରାଯାଉ । ଏହି ଅର୍ଥ ସଂପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ଅର୍ଥରୁ କଟାଯାଇ ପ୍ରଦାନ କରାଯାଉ ବୋଲି ଶ୍ରୀ ବିଶ୍ୱାଳ କମିଶନକୁ ନିବେଦନ କରିଛନ୍ତି । ଯାହାଦ୍ୱାରା ପିଲାମାନେ ଉଚିତ ନ୍ୟାୟ ପାଇପାରିବେ । ଏଥିପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କମିଶନ ନିର୍ଦେଶ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଶ୍ରୀ ବିଶ୍ୱାଳ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୪ତାରିଖ ରାତି ସାଢେ ୭ଟାରୁ ୮ଟା ମଧ୍ୟରେ ମହାକାଳପଡା ତହସିଲଦାର, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ, ମାର୍ଶାଘାଇ ଥାନା ଅଧିକାରୀ କେତେକ ପୋଲିସ କର୍ମଚାରୀଙ୍କ ସହାୟତାରେ ପାଟଳିପଙ୍କ ସ୍ଥିତ ନିବେଦିତା ଆଶ୍ରମର ଶିଶୁ ଅନୁଷ୍ଠାନକୁ ବେଆଇନ ଭାବେ ଧସେଇପସିଥିଲେ । ସେହି ଅନୁଷ୍ଠାନରୁ ୩୫ରୁ ୪୦ଜଣ ଶିଶୁଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ବଳ ପୂର୍ବକ ଭୟ ସୃଷ୍ଟିକରି ସେଠାରୁ ନେଇଯାଇଥିଲେ । ଏହି ସମୟରେ ପିଲାମାନେ ସେମାନଙ୍କ ଜୀବନ ବଂଚାଇବାକୁ ଚିତ୍କାର କରିଥିଲେ । କିନ୍ତୁ ଏହି ନିର୍ଦ୍ଧୟ ଅଧିକାରୀମାନେ ସେମାନଙ୍କ ଚିତ୍କାର ଶୁଣିନଥିଲେ । ସେଠାରେ ଥିବା ଜଗୁଆଳିମାନେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏଭଳି ନକରିବାକୁ ବାରଣ କରିବା ସତ୍ୱେ ସେମାନେ ଜଗୁଆଳିମାନଙ୍କୁ ବାଧାଦେଇ ପିଲାମାନଙ୍କୁ ସେଠାରୁ ନେଇଯାଇଥିଲେ । ଏଥିସହିତ ଆସନ୍ତା ୨୪ ଘଂଟା ମଧ୍ୟରେ ସମସ୍ତ ଅନ୍ତେବାସୀମାନଙ୍କୁ ସେଠାରୁ ନେଇଯିବେ ବୋଲି ସଂପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଧମକ ଦେଇଥିଲେ । ତେବେ ସେହି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ କ୍ଷମତାର ଅପବ୍ୟବହାର କରି ଏଭଳି କରିଥିବାରୁ ତାହାକୁ ମାନବଧିକାର କର୍ମୀ ଶ୍ରୀ ବିଶ୍ୱାଳ ଦୃଢ ନିନ୍ଦା କରିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ଜାତୀୟ ମାନବଧିକାର କମିଶନଙ୍କୁ ନିବେଦନ କରିଛନ୍ତି । ଅନ୍ୟ ଏକ ସ୍ୱେଛାସେବୀ ଅନୁଷ୍ଠାନକୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଏଭଳି ବେଆଇନ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏହି ମାମଲାଟି ୭୨୦୯/୨୦୨୧ନମ୍ବରରେ କମିଶନରେ ରୁଜୁ ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *