କେନ୍ଦ୍ରାପଡ଼ା,୧୪/୦୫/୨୦୨୧(ଓଡ଼ିଶା ସମାଚାର)- ଲକଡାଉନ ଘୋଷଣା ପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ତେବେ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଓ ଭିକ୍ଷାବୃତି କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନେ । ଖାଦ୍ୟ ଗଣ୍ଡାଏ ପାଇଁ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ଏମାନେ । ଏହି ଅସହାୟ ଲୋକମାନଙ୍କ ମୁହଁରେ ଦାନାମୁଠିଏ ଦେବା ପାଇଁ ଆଗେଇ ଆସିଛି ସ୍ୱେଛାସେବୀ ଅନୁଷ୍ଠାନ ରାଷ୍ଠ୍ର ନିର୍ମାଣ ଅଭିଯାନ । ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା ସହର ତଥା ସହର ଉପକଣ୍ଠରେ ବିକ୍ଷିପ୍ତ ଭାବେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ବ୍ୟକ୍ତି,ଦିବ୍ୟାଙ୍ଗ, ଭିକ୍ଷାବୃିକରି ପେଟ ପୋଷୁଥିବା ବୃଦ୍ଧ ଏବଂ ପରିବାର ପ୍ରିୟଜନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ବ୍ୟକ୍ତିଙ୍କୁ ଦୈନିକ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଅନୁଷ୍ଠାନର ସଦସ୍ୟମାନେ ରନ୍ଧା ଖାଦ୍ୟ ପ୍ୟାକେଟ କରି ତିନିମୁହାଣୀ, ନୂଆ ବସଷ୍ଟାଣ୍ଡ, ପୁରୁଣା ମଟରଷ୍ଟାଣ୍ଡ, ଇଛାପୁର, ମେଡିକାଲଛକ, ଗରାପୁର, ଗୋପ, ଦୁହୁରିଆ, କଜଳା,ଶ୍ୟାମଗୁଡିଆ ପ୍ରଭୃତି ଅଳରେ ବୁଲି ବୁଲି ଖାଦ୍ୟ ବୀତରଣ କରୁଛନ୍ତି । ସେହିପରି କେନ୍ଦ୍ରାପଡା ସହର ମଧ୍ୟରେ ରାତ୍ରବେଳା ଶୁଖିଲା ଖାଦ୍ୟ ବିତରଣ କରାଯାଉଛି । ଉଭୟ ଖାଦ୍ୟ ପ୍ରସ୍ତୁତି ଓ ବିତରଣ ସମୟରେ କୋଭିଡ କଟକଣାକୁ କଡାକଡି ପାଳନ କରାଯାଉଛି । ସୂଚନା ଯୋଗ୍ୟ ବିଗତ ବର୍ଷ ମଧ୍ୟ ଲକଡାଉନ ସମୟରେ ଅନୁଷ୍ଠାନ ପକ୍ଷରୁ ପ୍ରାୟ ୨ମାସ କାଳ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିଲା । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହାୟତା ଯୋଗୁଁ ଏହି କାର୍ଯ୍ୟ ନିରବଛିନ୍ନ ଭାବେ ଚାଲିପାରିଛି ବୋଲି ଅନୁଷ୍ଠାନର ସଦସ୍ୟ ମାତୃଦତ ମହାନ୍ତି କହିଛନ୍ତି । ଅନୁଷ୍ଠାନର ସଦସ୍ୟ ମଳୟ ସାହୁ, ସୁଶାନ୍ତ ବେହେରା, ରୁସନ ପରିଡା, ରଶ୍ମିରଞ୍ଜନ ସ୍ୱାଇଁ, ଶେଖର ସାହୁ, ଓମପ୍ରକାଶ ସାହୁ, ହରେକୃଷ୍ଣ ଜେନା ପ୍ରମୁଖ ଖାଦ୍ୟ ବିତରଣ କାର୍ଯ୍ୟ ପରିଚାଳନା କରିଥିଲେ । ଲକଡାଉନ ଜାରିଥିବା ପର୍ଯ୍ୟନ୍ତ ଏଭଳି ଖାଦ୍ୟ ବିତରଣ ଚାଲୁରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର