ବାସ ଖୋଜି ଖୋଜି
ବାସ ଉଡି ଯାଏ ଦେହରୁ
ବାସ ହରା ହୁଏ ଭମରା।
ଆମ ଆଖିନାକକୁ
ଯୁଗପତ୍ ବିଭ୍ରାନ୍ତ କରୁଥିବା
ଧୂଳି ଓ ଧୂଆଁ ହିଁ ବୋଧେ
ଆମ ଆଖି ଲୁହର କାରଣ।
ସର୍ତ୍ତ ପ୍ରତିସର୍ତ୍ତ ଆଶା,ପ୍ରତ୍ୟାଶାର
ଭାବ ହାଟରେ ଅନେକ ମୁଲଚାଲ
ସୁଖର ବିପଣି ବାଛି ହୁଏନା
ଏକାଥରରେ।
ପଡୋଶୀ ଘର ଗାଈର କ୍ଷୀର ମିଠା
ବାଙ୍କବାବୁଙ୍କ ବାଡି କାଙ୍କଡ଼
ବେଶୀ ବଡ଼ ବେଶୀ ସୁଆଦିଆ
ଜାଲରୁ ଖସି ଯାଇଥିବା ମାଛ
ସବୁଠୁ ବଡ଼ ମାଛ ଦୁନିଆର
ମିଳୁ ନ ଥିବା କାଗଜଟି
ସବୁଠୁ ବେଶୀ
ଦରକାରୀ ବୋଧେ।
ଏମିତି ସୁବାସିତ ଦେହ
ସୁସଜ୍ଜିତ ଫୁଲ ବିଛା ବିଛଣା
ଖୋଜିବାରେ ବିତି ଯାଏ ଦିନ
ଦୁଃଖ ବଦଳଉ ନ ଥାଏ
ମୂଳ ଦ୍ରାଘିମା।
ଆର ଗାଁ ତୁଠରେ
ସବୁଠୁ ସୁନ୍ଦରୀ ପରୀ
ଦେହ ପଖାଳନ୍ତି,
ସହେଲୀର ପିଲାଏ
ବେଶୀ ଶାନ୍ତ ସୁଧାର
ପାରିବାର।
ଏ ଜୀବନେ କିଛି ସୁଖ ନାହିଁ
ଏ ଫୁଲରେ ବାସ ନାହିଁ ବୋଲି
ସରି ଯାଉଛି ରାତି
ସରି ଯାଉଛି ଦିନ
ରଜନୀଗନ୍ଧାର ବାସ
ଛୁଟି ଯାଉଛି।
ଭୋଗ ଥାଳିରେ ମାଛି ବସୁଛି
ନେ ତୁ ଖା,ସାହି ପଡିଶାଙ୍କୁ ବାଣ୍ଟ।
ବାସ ନାହିଁ କହନା ଫୁଲରେ।
-0-
ବିନୟ କୁମାର ମହାନ୍ତି ,ବିଭାଗୀୟ ମୂଖ୍ୟ , ପ୍ରାଣୀ ବିଜ୍ଞାନ
ମଧୁପୁର କଲେଜ,କଲଣ
ଯାଜପୁର
ମୋ-୯୪୩୮୧୪୦୯୯୯