ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଗାଁ ଓ ୱାଡ଼୍ ସ୍ତରରେ କୋଭିଡ-୧୯ରମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁନେଇ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କୋଭିଡ୍ -୧୯ର ସଠିକ୍ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ବିଷୟରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଏହା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ । ତେଣୁ ତୃଣମୂଳ ସ୍ତରରେ କୋଭିଡ୍ – ୧୯ରମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲି । ଏହାସହ କୋଭିଡ୍ -୧୯ ମୁକାବିଲା ତଥା ସଠିକ୍ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ୱାଡ଼୍ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତୃତ୍ୱ ମାନଙ୍କୁ ନେଇ ଏକ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
ଓଡ଼ିଶାରେ କିପରି ଭ୍ୟାକସିନ୍ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଲେ । ରାଜ୍ୟକୁ କିପରି ଭ୍ୟାକସିନ୍, ରେମଡ଼େସିଭର ଡ୍ରଗ୍ସ, ରାପିଡ଼୍ ଆଂଟିଜେନ୍ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି । ବର୍ତମାନ କୋଭିଡ୍ ମହାମାରୀର ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ମିଳିତ ସହଯୋଗ ଏବଂ ସମନ୍ୱୟ ବଳରେ ଓଡ଼ିଶା ଏବଂ ଭାରତ ଏହି ମହାମାରୀ ବିରୁଦ୍ଧ ଲଢ଼େଇରେ ବିଜୟୀ ହୋଇପାରିବ । ଆମେ ଏକାଠୀ ହୋଇ ଜିତିପାରିବା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ,ବ୍ୟାଙ୍କିଙ୍ଗ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ କଥା ହୋଇ ରାଜ୍ୟରେ ଟେଷ୍ଟିଂ, ଭେଂଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢାଇବାସହ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଓଡ଼ିଶା ସମାଚାର