ଭୁବନ,୧୨/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା କୁ ନେଇ ସମଗ୍ର ଦେଶବାସୀ ଏବେ ଭୟଭୀତ । କରୋନା ଭୟ ସାଙ୍ଗକୁ ଲକଡାଉନ,ସଟଡାଉନ ଗରୀବ,ମଧ୍ୟବିତ ଓ ନିମ୍ନ ମଧ୍ୟବିତଙ୍କ ଅଣ୍ଟା ଭାଙ୍ଗି ଦେଲାଣି । ଏଭଳି ସ୍ଥିତିରେ ବୃଦ୍ଧ,ବୃଦ୍ଧା,ବିଧବା ଓ ଭିନ୍ନକ୍ଷମ ମାନେ ବେଶୀ ହଇରାଣ ହରକତ ହେଉଛନ୍ତି । କୌଣସି ସ୍ଥାନରେ ଲୋକ ରୁଣ୍ଡ ହେବାକୁ ସରକାର ଅନୁମତି ଦେଉନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ନୀତି ଆପଣେଇ ସରକାରୀ,ବେସରକାରୀ କାର୍ଯ୍ୟାଳୟରେ ଅଧା କର୍ମଚାରୀରେ କାମ କରାଉଛନ୍ତି । ପ୍ରତି ମାସ ୧୫ ତାରିଖରେ ଅସହାୟ,ନିଃସହାୟ ବୃଦ୍ଧ,ବୃଦ୍ଧାଙ୍କୁ ଚଳିବା ପାଇଁ ସରକାର ମାସିକ ୫ ଶହ ଟଙ୍କା ଭତା ଯୋଗାଇ ଦେଉଥିବା ବେଳେ ସରକାରଙ୍କ ନୂତନ ନୀତି ଯୋଗୁ ଚଳିତ ମାସରେ ଭତା ନମିଳିବା ଆଶଙ୍କା ଉପୁଜିଛି । ପ୍ରତ୍ୟେକ ହିତାଧିକାରୀ ସେମାନଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ପାସ ବୁକ ଜେରକ୍ସ ଦେବାକୁ କୁହାଯାଉଛି । କରୋନା ପାଇଁ ଏଥର ଭତା ଟଙ୍କା ସିଧା ସଳଖ ବ୍ୟାଙ୍କ ଖାତାକୁ ଯିବ ବୋଲି ସରକାର କହୁଛନ୍ତି । କିନ୍ତୁ ସରକାରଙ୍କ ଏହି ନୂତନ ନୀତିକୁ ଶତାଧିକ ବୃଦ୍ଧ,ବୃଦ୍ଧା ନାପସନ୍ଦ କରିଛନ୍ତି । ବୟସର ଅପରାହ୍ନରେ ବ୍ୟାଙ୍କକୁ ଯିବା ଏବଂ ପଇସା ଉଠାଇବା ସେମାନଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ । ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ବର୍ତମାନ ବ୍ୟାଙ୍କ ଗୁଡିକ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ସମୁଦାୟ ୪ ଘଣ୍ଟା ଖୋଲୁଛି । ବ୍ୟାଙ୍କ ବହୁତ ଦୂର,ସମସ୍ତେ ବ୍ୟାଙ୍କ କାରବାର ସହ ଜଡିତ ନୁହଁନ୍ତି, ତାଛଡା ବୁଢା ବୁଢୀ ବ୍ୟାଙ୍କକୁ ଗଲେ ଅଯଥା ଭିଡ ହେବ ଓ କରୋନା ସଂକ୍ରମଣର କେନ୍ଦ୍ର ସ୍ଥଳ ପାଲଟିବ । ସହରାଂଚଳରେ ଟାକ୍ସ କଲେକ୍ଟର/ଡିଲର ଏବଂ ଗ୍ରାମାଂଚଳରେ ଗ୍ରାମ ରୋଜଗାର ସେବକ କିମ୍ବା ଅଙ୍ଗନବାଡି କର୍ମୀ ଙ୍କ ମାଧ୍ୟମରେ ଘରେ ଘରେ ଭତା ଟଙ୍କା ଯୋଗାଇ ଦେବାକୁ ଶତାଧିକ ବୃଦ୍ଧ,ବୃଦ୍ଧା ଦାବି କରିଛନ୍ତି । ଏଥିସହିତ ଗତବର୍ଷ ଭଳି ଚଳିତ ବର୍ଷ ସରକାର ପ୍ରତ୍ୟେକ ରାସନକାର୍ଡ ପିଛା ୧ ହଜାର /୨ ହଜାର ଟଙ୍କା ଯୋଗାଇ ଦେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର