କେନ୍ଦ୍ରାପଡ଼ା,୧୨/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ତାହାକୁ ସଠିକ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଇପାରୁନାହିଁ । ପ୍ରଥମ ଡୋଜ କରୋନା ଟୀକା ନେଇଥିବା ବ୍ୟକ୍ତି ଦୀର୍ଘଦିନ ଅପେକ୍ଷା କରି ଦ୍ୱିତୀୟ ଡୋଜ ଟୀକା ନେବାକୁ ଯିବାବେଳେ ନାହିଁନଥିବା ଭିଡ ପରିଲକ୍ଷିତ ହେଉଛି । ଉପରିକି ବହୁତ ସମୟ ଅପେକ୍ଷାକରି ବରିଷ୍ଠ ନାଗରିକମାନେ ଫେରୁଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୫ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇପାରିଲା ନାହିଁ । ଜିଲ୍ଲା ମେଡିକାଲରେ ଭିତିଭୂମିର ଅଭାବ ପରିଲକ୍ଷିତ ହେବାରୁ କେନ୍ଦ୍ରାପଡା କଲେଜକୁ ସ୍ଥାନାନ୍ତରିତ କରାଗଲା । ଯଦି ଆଜି ଆମ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥାନ୍ତା ତେବେ ଆଜି ସ୍ୱାସ୍ଥ୍ୟ ସେବା ଏତେ ବ୍ୟାକୁଳ ଅବସ୍ଥାରେ ନଥାନ୍ତା । ଆମ ଜିଲ୍ଲାରୁ ବହୁ ଲୋକ ପ୍ରବାସୀ ଶ୍ରମିକ ବାହାର ରାଜ୍ୟ ଓ ବାହାର ଦେଶରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନେ ଘରକୁ ଫେରିଲେଣି । ସେମାନଙ୍କୁ ସଠିକ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନର ନିଘା ନାହିଁ । ଖାମଖିଆଲ ନୀତିରେ କାର୍ଯ୍ୟ ଚାଲିଛି । ଶ୍ୟାମଗୁଡିଆରେ ପ୍ରତିଷ୍ଠା ହେବାକୁ ଥିବା ଡାକ୍ତରଖାନା ଶୀତଳ ଭଣ୍ଡାର ଅବସ୍ଥାରେ । ଯଦି ତାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇପାରନ୍ତା ତାହା ହେଲେ କିଛି ମାତ୍ରାରେ ସେହି ଡାକ୍ତରଖାନା ସାହାଯ୍ୟକାରୀ ହୋଇପାରନ୍ତା । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତିଭୂମିକୁ ଉନ୍ନତି କରି ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କରିବା ସହିତ ମେଡିକାଲ କଲେଜର ଭିତିଭୂମି ପକାଇବାକୁ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ଆଇନଜୀବି ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଅଜୟ ସାମଲ, ଗୟାଧର ଧଳ, ପ୍ରଫୁଲ୍ଲ କୁମାର ଦାସ, ଆଦିକନ୍ଦ ରାଉଳ, ବାବାଜୀ ଧଳ, ଆଇନଜୀବି ଉମେଶ ଚନ୍ଦ୍ର ସିଂ, ଫକିର ଚରଣ ଖଟୁଆ, ଏଲିନା ସାମନ୍ତରାଏ, ମୁକ୍ତାର ଖାଁ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର