ଚୋରି ଅଭିଯୋଗରେ ଏସଆଇଏସ୍ ଓ ଆରଏଲ୍ ସୁରକ୍ଷା ସଂସ୍ଥାର ୨ଗିରଫ
ପାରାଦୀପ ୦୯/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ତଥା ନିଷିଦ୍ଧାଂଚଳର ସୁରକ୍ଷା ଦାୟୀତ୍ୱରେ ଅଛନ୍ତି ବିଶ୍ୱସ୍ତରୀୟ ସରକାରୀ ସୁରକ୍ଷା ସଂସ୍ଥା କେନ୍ଦି୍ରୟ ନିରାପତା ବାହିନୀ ବା ସିଆଇଏସଏଫ୍ । ତେବେ ବନ୍ଦର ନିଷିଦ୍ଧାଂଚଳରେ କିଛି ପ୍ରକଳ୍ପରେ କାର୍ଯ୍ୟ କରୁଥିବା କମ୍ପାନୀ ତଥା ବନ୍ଦର ୫ନମ୍ବର ଫାଟକ ନିକଟରେ ବନ୍ଦର ପୋତାଶ୍ରୟକୁ ଲିଜ୍ ସୁତ୍ରରେ ନେଇଥିବା ପିଆଇସିଟି କମ୍ପାନୀ ତାର ସୁରକ୍ଷାରେ ନିୟୋଜିତ କରିଛି ବିଭିନ୍ନ ବେସରକାରୀ ସୁରକ୍ଷା ସଂସ୍ଥାକୁ । ଯାହାକି ସ୍ପର୍ଶକାତର ବନ୍ଦର ପାଇଁ ଭବିଷ୍ୟତରେ ବିପଦକୁ ଟାଣି ଆଣିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଅନ୍ୟପକ୍ଷରେ ଏହି ବେସରକାରୀ ସୁରକ୍ଷା ସଂସ୍ଥାର ନିୟୋଜନ ପରେ ବନ୍ଦର ନିଷିଦ୍ଧାଳରୁ ଚୋରୀ ବୃଦ୍ଧି ପାଇଛି । ଯାହାର ଉଦାହରଣ ଗତ ଗୁରୁବାର ସଂନ୍ଧ୍ୟାରେ ବନ୍ଦର ପ୍ଲଟ୍ ରେ ନିୟୋଜିତ ଥିବା ଖୋଦ ଏସଆଇଏସ୍ ଓ ଆରଏଲ୍ ସିକୁ୍ୟରିଟି ସଂସ୍ଥାର ଦୁଇ ଜଣ କର୍ମଚାରୀ ଗିରଫ ହୋଇ କୋର୍ଟ ଚାଲାଣ ହେବା । ଘଟଣାରୁ ପ୍ରକାଶ ଯେ, ଏସଆଇଏସ୍ ସିକୁ୍ୟରିଟି ସଂସ୍ଥା ଏବଂ ଆରଏଲ୍ ସିକୁ୍ୟରିଟି ସଂସ୍ଥାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଚିତରଞ୍ଜନ ସ୍ୱାଇଁ ଓ ପ୍ରକାଶ ପଣ୍ଡା ବନ୍ଦର ମଧ୍ୟରେ ଥିବା ଏକ ପ୍ଲଟ୍ ରୁ ଡୁ୍ୟଟି ସାରି ଏକ ସ୍କୁଟିରେ ଫେରୁଥିବା ସମୟରେ ୪ନମ୍ବର ଫାଟକ ଠାରେ ସିଆଇଏସଏଫ୍ ପକ୍ଷରୁ ଚେକିଙ୍ଗ୍ ସମୟରେ ସେମାନଙ୍କ ସ୍କୁଟି ଡିକି ଭିତରୁ ୯୦ଟି ଲୁହା ନଟ୍ ବୋଲ୍ଟ ବାହାରିଥିଲ । ସେଗୁଡିକ ନିଷିଦ୍ଧାଂଚଳ ମଧ୍ୟରୁ ଚୋରୀ କରିଥିବା ଉଭୟ ସ୍ୱୀକାର କରିଥିଲେ । ଏହାପରେ ଉଭୟଙ୍କୁ ପାରାଦୀପ ଆଦର୍ଶ ଥାନା ପୋଲିସର ଜିମା ଦିଆଯାଇଥିଲା । ଏନେଇ ୯୫/୨୦୨୧ରେ କେସ୍ ରୁଜୁ କରି ଦୁଇ ଜଣଙ୍କର କୋଭିଡ୍ ପରିକ୍ଷା କରାଇ କୋର୍ଟ ଚାଲାଣ କରିଥିବା ଆଦର୍ଶ ଥାନା ପକ୍ଷରୁ ପ୍ରକାଶ । ଏ ଘଟଣାକୁ ନେଇ ପାରାଦୀପ ବନ୍ଦର ବେସରକାରୀ ସୁରକ୍ଷା ସଂସ୍ଥା ହାତରେ ଯେ କେତେ ସୁରକ୍ଷିତ ? ତାହା ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି । ଓଡ଼ିଶା ସମାଚାର