ତାରପୁର, ୦୯/୦୫/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ଥାନା ଚିକିଣିଆ ପଂଚାୟତ ଚିକିଣିଆ ଗ୍ରାମରେ ୨ ଜଣ ବ୍ୟକ୍ତି ବିଷ ଦେଇ ୫୦ ହଜାର ଟଙ୍କା ଛେଳି ମାରିଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଏହି ଗ୍ରାମର ବଟ ଭୋଇ ଓ ଅକ୍ତର ଅଲୀ ଙ୍କର ୨ ଟି ୫ ମାସର ଗର୍ଭବତୀ ମାଈ ଛେଳି, ଗୋଟିଏ ବୋଦା, ଅନ୍ୟ ୨ ଗୋଟି ଖାସି ଛେଳି ବିଲରେ ଚରୁଥିବା ସମୟରେ ସେହି ଗ୍ରାମର ଦୂର୍ଯୋଟି ମହାନ୍ତି ଏବଂ ମୃତ୍ୟୁଂଜୟ ମହାପାତ୍ର ନିଜର କକ୍ଷାରୁ କିଆରିରେ ୟୁରିୟା ମିଶା ପାଣି ଛେଳି ମାନଙ୍କୁ ପିଇବାକୁ ଦେଇଥିଲେ ।
ପାଂଚୋଟିଯାକ ଛେଳି ମଧ୍ୟାହ୍ନ ସମୟରେ ସେହି ପାଣି ପିଇ ମୃତ୍ୟୁ ମୁଖରେ ପଡ଼ିଥିଲେ । ତେବେ ପ୍ରତ୍ୟେକ ବର୍ଷ ଏହି ଦୁଇ ବ୍ୟକ୍ତି ବିଷ ଦେଇ ଛେଳି ମାରିବା ଅଭ୍ୟାସ ଥିବା ଗ୍ରାମବାସୀମାନେ ପ୍ରକାଶ କରିଥିବାବେଳେ ବଟ ଭୋଇ ଓ ଅକ୍ତର ଅଲୀ ଏ ବାବଦରେ ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଥାନା ପକ୍ଷରୁ ଘଟଣାର ତସନ୍ତ କରାଯାଇଥିବାବେଳେ ଛେଳି ମାନଙ୍କୁ ଜିବୀକା ଭାବେ ଗ୍ରହଣ କରିଥିବା ଏହି ବ୍ୟକ୍ତିଙ୍କୁ ସେମାନଙ୍କ ଉଚିତ ପ୍ରାପ୍ୟ ଦେବା ସହିତ ବିଷ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର