କେନ୍ଦ୍ରାପଡ଼ା, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳର ଖାଉଟି ରିଟେଲରମାନେ ଅତିରିକ୍ତ ଜିଲ୍ଲାପାଳ ତଥା ଜାତୀୟ ଖାଦ୍ୟ ସୁରକ୍ଷା ସଂଚାଳନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୨୦୨୦ମସିହା ଅପ୍ରେଲମାସ ଠାରୁ ନଭେମ୍ବରମାସ ପର୍ଯ୍ୟନ୍ତ ୮ମାସ ଧରି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ପୌରାଂଚଳର ଖାଉଟିକାର୍ଡ ହିତାଧିକାରୀମାନଙ୍କୁ ଚାଉଳ,ଗହମ, ଚଣା ଓ ଡାଲି ପ୍ରଭୃତି ବଂଟନ କରିଥିଲେ । କିନ୍ତୁ ସେଥିନିମନ୍ତେ ଅଦ୍ୟାବଧି ସେମାନଙ୍କ ପାରିଶ୍ରମିକ ସେମାନଙ୍କୁ ପ୍ରଦାନ କରାଯାଇନାହିଁ । କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ପୁନର୍ବାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଚଳିତବର୍ଷ ମଇ ଓ ଜୁନମାସ ନିମନ୍ତେ ଖାଉିମାନଙ୍କୁ ରିଟେଲରମାନଙ୍କ ଜରିଆରେ ସାମଗ୍ରୀ ବଂଟନ କରାଯିବାକୁ ସରକାରୀ ଭାବେ ଘୋଷଣା କରାଯାଇଛି । କରୋନା ଭଳି ଜାତୀୟ ବିପତିର ମୁକାବିଲା ନିମନ୍ତେ ରିଟେଲରମାନେ ସରକାରଙ୍କ ସହ ପ୍ରସ୍ତୁତ ରହିଥିବା ବେଳେ ସେମାନଙ୍କ ପାରିଶ୍ରମିକ ବାବଦ କୁଇଂଟାଲ ପିଛା ୩୦ଟଙ୍କା ଲେଖାଁଏ ଧାର୍ଯ୍ୟ କରାଯାଇ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏଥିସହିତ ମଇଁ ଓ ଜୁନମାସର ସାମଗ୍ରୀ ସେମାନଙ୍କ ପାଖରେ ପହଂଚିବା ପୂର୍ବରୁ ସେମାନଙ୍କୁ ବକେୟା ପାରିଶ୍ରମିକ ପ୍ରଦାନ କରାଯାଉ ବୋଲି ରିଟେଲରମାନଙ୍କ ପକ୍ଷରୁ ଅଫସାନା ବିବି, ରଞ୍ଜନ କୁମାର ସାହୁ, ମନୋଜ କୁମାର ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର