Wednesday , May 31 2023
Home / ବିଶେଷ / କୋଭିଡ ୨ୟ ଲହରର ସପ୍ତାହନ୍ତ ବନ୍ଦରେ କେନ୍ଦ୍ରାପଡା ସହର ଜନଶୁନ୍ୟ

କୋଭିଡ ୨ୟ ଲହରର ସପ୍ତାହନ୍ତ ବନ୍ଦରେ କେନ୍ଦ୍ରାପଡା ସହର ଜନଶୁନ୍ୟ

କେନ୍ଦ୍ରାପଡ଼ା, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- କୋଭିଡ – ୧୯ର ଦ୍ୱିତୀୟ ଲହରର ତୃତୀୟ ସପ୍ତାହନ୍ତ ବନ୍ଦରେ ଶନିବାର ଓ ରବିିବାର ୨ଦିନ ଧରି କେନ୍ଦ୍ରାପଡା ସହର ଜନଶୁନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରି ପରେ ସାଧାରଣ ଜନତା ସଚେତନ ହୋଇପଡିଥିବା ଯୋଗୁଁ ନିହାତି ଜରୁରୀ ଆବଶ୍ୟକତା ନଥିଲେ କେହି ଘରୁ ପଦାକୁ ବାହାରିବାକୁ ଉଚିତ ମଣୁ ନାହାନ୍ତି । କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ପୁରୁଣାବସଷ୍ଟାଣ୍ଡ, ବଡହାଟ, କାକଟ, ଗଣାମାହାଲ, ନୂଆବସଷ୍ଟାଣ୍ଡ, ଇଛାପୁର, କେଶପୁର ବଜାର, ସାନ୍ତସାହି, ମଢିଆଳ,  ବଣିଆମାଳ, ମହିପାଳ, କଜଳା, ତିନିମୁହାଣିଛକ ପ୍ରଭୃତି ସ୍ଥାନ ଗୁଡିକରେ ରାସ୍ତା ଗୁଡିକ ଶୁନଶାନ ଥିବା ଦେଖିବାକୁ ମିଳିଛି । ଏସବୁ ସ୍ଥାନ ଗୁଡିକରେ  ପୋଲିସ ପଇଁତରା ମାରୁଥିବାରୁ ଲୋକମାନେ ରାସ୍ତା ଉପରକୁ ଆସିନଥିବା ଦେଖାଯାଇଛି । ଏଥିସହିତ ସହର ଉପକଣ୍ଠ ବିଭିନ୍ନ ଗ୍ରାମ ଗୁଡିକରେ ମଧ୍ୟ ଲୋକମାନେ ରାସ୍ତା ଉପରକୁ ଆସୁନଥିବା ଦେଖାଯାଇଛି । କୋଭିଡ ସଂକ୍ରମଣର ଭୟାବହତା ସମ୍ପର୍କରେ ସାଧାରଣ ଲୋକଙ୍କୁ ପୋଲିସ ସଚେତନ କରାଇବା ପରେ ସେମାନେ ପ୍ରାୟ ସଚେତନ ହୋଇଥିଲା ପରି ଜଣାପଡୁଛି । ଫଳରେ ଲୋକମାନେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଥିଲା । ଲୋକମାନେ ଏଭଳି ଭାବରେ ନିଜେ ସଚେତନ ହୋଇ  କୋଭିଡ ନିୟମକୁ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା, ହାତ ସାନିଟାଇଜ କରିବା ଓ ମାସ୍କ ପରିଧାନ ଦ୍ୱାରା ସହଜରେ କରୋନା ଭଳି ମହାମାରୀର ସଂକ୍ରମଣକୁ ସହଜରେ ହ୍ରାସ କରାଯାଇପାରନ୍ତା । ଟାଉନ ଥାନାର ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୌମ୍ୟରଞ୍ଜନ ଜାଲି ଓ ପୁରୁଣା ବସ ଷ୍ଟାଣ୍ଡ ଫାଣ୍ଡିର ହାବିଲଦାର ନରେନ୍ଦ୍ର ନାଥ ସୋରେନ ପ୍ରମୁଖ  ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ  ଅମାନିଆଙ୍କୁ କରୋନା ସଂକ୍ରଣ ସମ୍ପର୍କରେ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.