Tuesday , May 30 2023
Breaking News
Home / ବିଶେଷ / କରୋନା ପରିଚାଳନା ସମ୍ପର୍କରେ ଜିଲ୍ଲାପାଳଙ୍କ ସୂଚନା

କରୋନା ପରିଚାଳନା ସମ୍ପର୍କରେ ଜିଲ୍ଲାପାଳଙ୍କ ସୂଚନା

କେନ୍ଦ୍ରାପଡ଼ା, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ କରୋନା ପରିଚାଳନା ସମ୍ପର୍କରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ଶୁକ୍ରବାର ୧୯୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶନିବାର ୧୪୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶେଷ କରି ରାଜନଗର, କେନ୍ଦ୍ରାପଡା ଓ ଡେରାବିଶ ବ୍ଲକରୁ ଜିଲ୍ଲାର ଦୈନିକ ସଂକ୍ରମିତ ସଂଖ୍ୟାର ୫୦ ପ୍ରତିଶତ ଚିହ୍ନଟ ହେଉଥିବାରୁ ସେହି ୩ଟି ବ୍ଲକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଡେରାବିଶି ବ୍ଲକର ସୋରିଷିଆ ଗ୍ରାମରେ ଗୋଷ୍ଠି ସଂକ୍ରମଣ ହୋଇଥିବାରୁ ସେହି ଗ୍ରାମକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କୋଭିଡ ଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ଏବଂ ସେଠାରେ ଅମ୍ଳଜାନ ସିଲିଣ୍ଡର ମଧ୍ୟ ମହଜୁଦ ରଖାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୋମବାର ଠାରୁ ଯେଉଁ ଟୀକାକରଣ ଆରମ୍ଭ ହେବ ସେଥିରେ କେବଳ ପ୍ରଥମ ଡୋଜ ଟୀକା ନେଇଥିବା ବ୍ୟକ୍ତି ଯେଉଁମାନଙ୍କର ଦ୍ୱିତୀୟ ଡୋଜର ସମୟ ହୋଇଗଲାଣି ସେହିମାନଙ୍କୁ ଟୀକା ଦିଆଯିବ । ୧୮ରୁ ୪୪ବର୍ଷ ଓ ପ୍ରଥମ ଡୋଜ ଟୀକା ନେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କୁ ଖୁବଶୀଘ୍ର ଟୀକାକରଣ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ । ଏବେ କେବଳ ଦ୍ୱିତୀୟ ଡୋଜ ଟୀକା ଦିଆଯିବ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେତୁ ଜନସାଧାରଣଙ୍କ ମଧ୍ୟରେ ଟୀକା ନେବାରେ ଉତ୍ସୁକତା ବୃଦ୍ଧି ପାଇଛି । ଏଣୁ ସମସ୍ତଙ୍କ ପାଇଁ ଖୁବଶୀଘ୍ର ଟୀକାକରଣ ବ୍ୟବସ୍ଥା କରାଯିବ । ସୋମବାର ଠାରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ସମେତ ଜିଲ୍ଲାର ସମସ୍ତ ବ୍ଲକରେ ଟୀକାକରଣ କରାଯିବ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଟୀକା ନେବାକୁ ଆସୁଥିବା ବ୍ୟକ୍ତିମାନଙ୍କ ବସିବା ପାଇଁ ମହାବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକ ଖୋଲିଦିଆଯିବା ସହ ବ୍ଲକ ସ୍ତରରେ ହାଇସ୍କୁଲ ଟୀକାକରଣ କେନ୍ଦ୍ରକୁ ଟୀକା ନେବାକୁ ଆସୁଥିବା ବ୍ୟକ୍ତିଙ୍କପାଇଁ ହାଇସ୍କୁଲର ଶ୍ରେଣୀ ଗୃହ ଗୁଡିକ ଖୋଲିଦିଆଯିବ । ଯଦ୍ୱାରା ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ଟୀକା ନେଇପାରିବେ । କେବଳ ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ଯେଉଁମାନଙ୍କ ସମୟ ହୋଇଯାଇଛି କେବଳ ସେହିମାନେ ଟୀକାନେବାକୁ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏଯାବତ ଜିଲ୍ଲାକୁ ପ୍ରାୟ ୩ହଜାର ୫ଶହ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ଗୃହ ସଂଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଯେଉଁମାନେ ଏହି ନିୟମକୁ ମାନୁ ନାହାନ୍ତି ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଲକଡାଉନ ଓ ସଟଡାଉନ ନିୟମକୁ ଜନସାଧାରଣ ସଠିକ ଭାବେ ମାନି ଚଳିଲେ ଆମ ଜିଲ୍ଲାରେ ସଂକ୍ରମିତ ହାର ହ୍ରାସ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.