ଭୁବନ ୦୮/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ଦ୍ୱିତୀୟ ଲହରକୁ ପ୍ରତିହତ କରିବା ସକାଶେ ସରକାର ଚଳିତ ମେ ୫ ରୁ କୁ ମେ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ କରିଥିବା ବେଳେ କେବଳ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକୁ ଦିନ ୧୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି । ରବିବାର,ବୁଧବାର ଓ ଶୁକ୍ରବାର ବାରିରେ ଖିଅର ହେବାକୁ ଲୋକମାନେ ନାହିଁ ନଥିବା ହିନସ୍ତା ହେଉଛନ୍ତି । କେତେକ ଲୋକ ଘରେ ନିଜେ ରେଜରରେ ଦାଢି କାଟି ଦେଉଥିବା ବେଳେ ଚୁଟି କାଟିବା ପାଇଁ ବାରିକ(ଭଣ୍ଡାରୀ) ଙ୍କ ଦୁଆରେ ହାଜର ହେଉଛନ୍ତି । ସେଲୁନ ବନ୍ଦଯୋଗୁ ବାରିକ ସମାଜ କ୍ଷତିଗ୍ରସ୍ତ ହେଉଛନ୍ତି । ଏପରିସ୍ଥିତିରେ କୌଳିକ ବୃତିକୁ ଜୀବିକା ଭାବେ ଗ୍ରହଣ କରି ପରିବାର ପ୍ରତିପୋଷଣ କରୁଥିବା ବାରିକ ମାନେ ସବୁଠାରୁ ବେଶି ହଇରାଣ ହରକତ ଓ ଅଭାବ ମଧ୍ୟରେ ରହୁଛନ୍ତି । ସେଲୁନ ବନ୍ଦ ଯୋଗୁ ଗରାଖ ମାନେ ଅନ୍ୟଉପାୟ ନପାଇ ବାରିକ ଦୁଆରେ ପହଁଚୁଥିବା ଯୋଗୁ କେତେବେଳେ ଘର ପିଣ୍ଡାରେ ତ କେତେବେଳେ ଗଛ ମୂଳରେ ଲୋକଙ୍କୁ ବାରିକ ଖିଅର କରୁଥିବା ଦେଖିବାକୁ ମିଳୁଛି । ୨୦/୩୦ ବର୍ଷ ପୂର୍ବେ ଯେଭଳି ବାରିକ(ଭଣ୍ଡାରୀ) ମାନେ ସେମାନଙ୍କ ସାଆନ୍ତ ଙ୍କ ଘରଘର ବୁଲି ଖିଅର କରୁଥିଲେ ଏବେ ଲକଡାଉନ ଯୋଗୁ ଅନେକ ବାରିକ ମୁଠି (କ୍ଷୁର,କଇଁଚି ଥିବା ବାକ୍ସ) ଧରି ଘରକୁ ଘର ବୁଲି ଖିଅର କରୁଛନ୍ତି । ଏହାକୁ ମୋବାଇଲ ସେଲୁନ କୁହାଯାଉଛି । ସେଲୁନ ଦୋକାନରେ ରବିବାର,ବୁଧବାର ବାରିରେ ଦିନକୁ ହାରାହାରି ୧ ହଜାର ରୁ ୧୫୦୦ ଟଙ୍କା ରୋଜଗାର ହେଉଥିବା ବେଳେ ଏବେ ସର୍ବାଧିକ ୨୦୦ ରୁ ୩୦୦ ଟଙ୍କା ରୋଜଗାର ହେଉଛି ବୋଲି କେତେକ ବାରିକ ପ୍ରକାଶ କରୁଛନ୍ତି । ସରକାର ନିର୍ମାଣ ଶ୍ରମିକ,କଳାକାର ମାନଙ୍କୁ ଯେଉଁଭଳି ଭତା ଓ ପ୍ରୋତ୍ସହନ ରାଶି ଦେଉଛନ୍ତି ଆମ୍ଭଭଳି କୌଳିକ ବୃତିକୁ ପେସା କରି ଚଳୁଥିବା ବାରିକ ମାନଙ୍କୁ ସେଇଭଳି ଭତା /ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବାକୁ ଭୁବନ ବାରିକ ସମାଜ ତରଫରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର