Tuesday , October 3 2023
Breaking News
Home / ବିଶେଷ /   ‘ତାଲାବନ୍ଦ’ରେ ଟ୍ୟାକ୍ସି ଓ ଅଟୋ ଚାଳକ ହଟହଟା

  ‘ତାଲାବନ୍ଦ’ରେ ଟ୍ୟାକ୍ସି ଓ ଅଟୋ ଚାଳକ ହଟହଟା

ପାଟକୁରା ୦୮/୦୫/୨୦୨୧(ଓଡ଼ିଶା ସମାଚାର)- ବୁଧବାର ଠାରୁ ଚଳିତ ମାସର ୧୯ତାରିଖ ପର୍ଯ୍ୟନ୍ତ ସରକାର ‘ତାଲାବନ୍ଦ’ ଘୋଷଣା କରିଛନ୍ତି । ଫଳରେ କୌଣସି ବ୍ୟକ୍ତି ଜରୁରୀ କାର୍ଯ୍ୟ ନ ଥିଲେ ବାହାରକୁ ବାହାରିବା ଉପରେ ନିଷେଧ ରହିଛି । କେବଳ ଡାକ୍ତରଖାନା କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାର ହାଟ ବଜାରକୁ ଯାଇପାରିବେ । ତେବେ ସେମାନଙ୍କୁ ପୁଲିସ ପଚାରିଲେ ସେମାନେ ବାହାରକୁ ଯାଇଥିବାର ସମସ୍ତ ତଥ୍ୟ ଉପସ୍ଥାପନ କରିବେ । ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଭଳି ନିତ୍ୟବ୍ୟବହାର୍ଯ୍ୟ ଦୋକାନଗୁଡିକ ଖୋଲା ରହିବ । ତାଲା ବନ୍ଦ ସମୟରେ କୋଭିଡ୍ ନିୟମକୁ କଡା କଡି ଭାବରେ ପାଳନ କରାଯିବ । ଯଦି କୋଭିଡ ନିୟମକୁ କେହି ଅବମାନନା କରନ୍ତି ,ତେବେ ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କୁହାଯାଇଛି । ଏହି ନିୟମକୁ ନେଇ ସମସ୍ୟାରେ ପଡିଯାଇଛନ୍ତି ଟ୍ୟାକ୍ସି  ଓ ଅଟୋ ଚାଳକମାନେ । ଜଣେ ଟ୍ୟାକ୍ସି ଚାଳକ ବା ଅଟୋ ଚାଳକ ରୋଗୀକୁ ଡାକ୍ତରଖାନା ପର୍ଯ୍ୟନ୍ତ ନେଇ ଯିବା ପାଇଁ କୌଣସି ଅସୁବିଧା ନାହିଁ । ସେହି ଟ୍ୟାକ୍ସି ବା ଅଟୋ ଫେରିବା ସମୟରେ ସେ ମେଡିକାଲ ଯାଇଥିଲା କି ନାହିଁ ତାହାର କୌଣସି ପ୍ରମାଣ ନାହିଁ । ଏଭଳି ପରିସ୍ଥିତିରେ ଆମେ କ’ଣ କରିବୁ ବୋଲି ଜଣେ ଟ୍ୟାକ୍ସି ଚାଳକ ମେଡିକାଲରୁ ଫେରି ପ୍ରକାଶ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର କିମ୍ବା କଟକକୁ ଯିବାକୁ ପଡୁଛି ,ତେବେ ସେମାନଙ୍କୁ ଛାଡିବା ପରେ ଫେରିବା ସମୟରେ ଟ୍ୟାକ୍ସି ଡ୍ରାଇଭରଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏପରିସ୍ଥଳେ ଟ୍ୟାକ୍ସି ଚାଳକମାନେ ବାହାରକୁ ଯିବା  ପାଇଁ ଉଚିତ୍ ମଣୁ ନାହାଁନ୍ତି । ଏଭଳି  ପରିସ୍ଥିତିରେ ଟ୍ୟାକ୍ସି ଚାଳକ ହେଉ କିମ୍ବା  ଆଟୋ ଚାଳକମାନେ ହୁଅନ୍ତୁ ସେମାନଙ୍କୁ ସ୍ଥାନୀୟ ପ୍ରଶାସନଙ୍କ ପକ୍ଷରୁ ପାସ୍ ଦିଆଯିବାର ବ୍ୟବସ୍ଥା କରିବା ପାଇଁ ଟ୍ୟାକ୍ସି ଚାଳକମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ,ଗତ ଦୁଇ ଦିନ ତଳେ ପାଟକୁରା ଥାନା ଅନ୍ତର୍ଗତ ପରକଣା ଗ୍ରାମର ଜନୈକ ଟ୍ୟାକ୍ସି ଚାଳକ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେଇ  ଫେରୁଥିବାବେଳେ, ତାଳସଙ୍ଗା ଛକ ନିକଟରେ ପାଟକୁରା ପୁଲିସ୍ ସମ୍ପୃକ୍ତ ଟ୍ୟାକ୍ସି ଚାଳକଙ୍କ ଠାରୁ ଜୁଲମ କରି ୫ଶହ ଟଙ୍କା ନେଇଥିବାର ସମ୍ପୃକ୍ତ ଟ୍ୟାକ୍ସି ଚାଳକ ଅଭିଯୋଗ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *