କେନ୍ଦ୍ରାପଡ଼ା, ୦୮/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟରେ ମହାଦୁର୍ନୀତି ଓ ସୋସାଇଟ ସମ୍ପାଦକଙ୍କ ଦ୍ୱାରା ବହୁ ବେଆଇନ କାର୍ଯ୍ୟ ହେଉଥିବା ନେଇ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ଅଭିଯୋଗ ହେବା ପରେ ନିବନ୍ଧକ ସେହି ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କଟକ-୨ ଡିଭିଜନର ଉପନିବନ୍ଧକଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଗତ ଫେବୃୟାରୀମାସ ୨୨ତାରିଖରେ ସରସ୍ୱତୀ ସ୍ୱାଇଁ, ନୃସିଂହ ଦାଶ,ହର ପ୍ରସାଦ ମିଶ୍ର, ପ୍ରଶାନ୍ତ କୁମାର ନାୟକ, ରାଜଦୀପ ପଢିଆରୀ,ସୁରେଶ ଚନ୍ଦ୍ର ସ୍ୱାଇଁ,ଭାବଗ୍ରାହୀ ବେହୁରା, ବାସୁଦେବ ଦାସ ଓ ଶିବ ପ୍ରସାଦ ଜେନା ପ୍ରମୁଖ ୯ଜଣ ରାଜ୍ୟ ସମବାୟ ସମିତିର ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ସୋସାଇଟର ପୂର୍ବତନ ସଭାପତି ଯୌନ ଉତ୍ପୀଡନ ଭଳି ସଂଗୀନ ମାମଲାରେ ଛନ୍ଦି ହୋଇ ଜେଲ ଯିବା ପରେ ତାଙ୍କୁ ସଭାପତି ପଦରୁ ସମବାୟ ନିବନ୍ଧକ ବହିଷ୍କାର କରିଥିଲେ । କିନ୍ତୁ ସେ ଓଡିଶା ଉଚ୍ଚ ନ୍ୟାୟାଳୟରୁ ସର୍ତମୂଳକ ଜାମିନରେ ମୁକୁଳିବା ପରେ ସୋସାଇଟର ସମ୍ପାଦକ ପ୍ରହଲ୍ଲାଦ ସାହୁ ନିଜ କ୍ଷମତାର ଅପବ୍ୟବହାର କରି ବେଆଇନ ଭାବେ ସୋସାଇଟି ମୁଖ୍ୟ ଶାଖାର ସ୍ୱନକ୍ଷତ୍ର ଦିବସର ନିମନ୍ତ୍ରଣ ପତ୍ରରେ ପୂର୍ବତନ ସଭାପତିଙ୍କୁ ବର୍ତମାନର ସଭାପତି ଦର୍ଶାଇ ନିମନ୍ତ୍ରଣ ପତ୍ର ଛପାଇ ବାଂଟିଥିଲେ । ଏତଦଭିନ୍ନ ସୋସାଇଟିର ବିଭିନ୍ନ ଅଫିସିଆଲ ହ୍ୱାଟସଅପ ଗ୍ରୁପରେ ପୂର୍ବତନ ସଭାପତିଙ୍କୁ ସଂଯୁକ୍ତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ସହ ପ୍ରକାରାନ୍ତରେ ସୋସାଇଟିକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କୁ ସୁଯୋଗ ଦେଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ପ୍ରମାଣ ସହିତ ସୋସାଇଟିର ପ୍ରଶାସକଙ୍କୁ ଅବଗତ କରାଯାଇଥିଲେବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗକାରୀ କହିଛନ୍ତି । ପରିଚାଳନା ପରିଷଦର କାର୍ଯ୍ୟକାଳ ସମାପ୍ତି ପରେ ଏବଂ ପ୍ରଶାସକ ସୋସାଇଟର ଦାୟୀତ୍ୱ ନେବା ପରେ ଦୁର୍ନୀତି ଅଭିଯୋଗରେ ପୂର୍ବରୁ ବହିଷ୍କୃତ ଦୁଇ ଶାଖା ପରିଚାଳକଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବହିଷ୍କୃତ ପୂର୍ବତନ ସଭାପତିଙ୍କ ଶାଳିଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏଥିସହିତ କୋଟି କୋଟି ଟଙ୍କାର ବୀମା କମିଶନ ସମ୍ପର୍କିତ ବୀମା ପରାମର୍ଶଦାତାଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ କୌଣସି ଗୁରୁତର ତୃଟି କିମ୍ବା ଅନିୟମିତତା ନଥାଇ ଅଭିଯୋଗକାରୀମାନଙ୍କୁ ଚାକିରୀରୁ ବାହାର କରାଯାଇ କିମ୍ବା କାର୍ଯ୍ୟ କରିବାକୁ ବାରଣ କରାଯାଇ ସେମାନଙ୍କ ପରିବାରର ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ସେମାନେ ଅନାହାର ଓ ଅନାଟନ ଭିତରେ ଜୀବନ ବଂଚାଇବାକୁ ସଂଗ୍ରାମ କରୁଥିବା ବେଳେ ସୋସାଇଟିର ସମ୍ପାଦକ ଅନ୍ଧାରୀ ଶାସନ ଚଳାଇଥିବା ଅଭିଯୋଗ ହୋଇଛି । ଏଥିପୂର୍ବରୁ ଗତ
ଫେବୃୟାରୀମାସ ୧୨ତାରିଖରେ ଏବଂ ମାର୍ଚ୍ଚମାସ ୨୨ତାରିଖରେ ଅଭିଯୋଗକାରୀମାନେ ୨ଟି ଅଭିଯୋଗ ସମବାୟ ନିବନ୍ଧକଙ୍କ ନିକଟରେ କରିଛନ୍ତି । ସେମାନଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ବାଧ୍ୟ ହୋଇ ସୋସାଇଟି କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ନିବନ୍ଧକଙ୍କୁ ଚେତାବନୀ ଦେଇଥିଲେ । ଏହି ଅଭିଯୋଗ ଉପରେ ସମବାୟ ନିବନ୍ଧକ ପତ୍ର ସଂଖ୍ୟା ୬୬୩୩ ରେ କଟକ -୨ ଡିଭିଜନର ଡେପୁଟୀ ରେଜିଷ୍ଟ୍ରାରଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର