କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- ଦୁଇଟି ସମିତିର ସମ୍ପାଦକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଦୁଇଟି ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ବେଳେ କେନ୍ଦ୍ରାପଡା ସମିତି ସମୂହର ସହକାରୀ ନିବନ୍ଧକ ଏହି ଘଟଣାରେ ନିରପେକ୍ଷ ଭାବରେ ତଦନ୍ତ ନକରି ଉଭୟଙ୍କ ମଧ୍ୟରୁ ଜଣେ ସମ୍ପାଦକଙ୍କୁ ମଙ୍ଗଳବାର ନିଲମ୍ବିତ ନିର୍ଦେଶ ଦେଇଛନ୍ତି । ଫଳରେ ସଂପୃକ୍ତ ନିଲମ୍ବିତ ସମିତି ସମ୍ପାଦକ ନିଜ ପରିବାର ସହିତ ଗୋପସ୍ଥିତ ସମିତି ସମୂହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁବୋଧ କୁମାର ବିଶ୍ୱାଳ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ସେ ଘରେ ନଥିବା ସମୟରେ ଗତ ୧୪ତାରିଖରେ ତୁଣପୁର ଗ୍ରାମର କାଳନ୍ଦି ଚରଣ ବିଶ୍ୱାଳ ଓ ସେହିଗ୍ରାମର ଦିଲ୍ଲିପ କୁମାର ନାୟକ ମରଡପୁରସ୍ଥିତ ତାଙ୍କ ବାସଭବନରେ ପହଁଚି ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ ଓ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଥିସହିତ ଗତ ୧୬ତାରିଖରେ କେନ୍ଦ୍ରାପଡା ସହରର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ମଧ୍ୟ ସୁବୋଧଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ବାଡେଇଥିବା ସେ ଅଭିଯୋଗ କରିଥିଲେ । ସେହିପରି ବଗଡା ପ୍ରାଥମିକ ସମବାୟ ସମିତିର ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳ ଟାଉନ ଥାନାରେ ସୁବୋଧଙ୍କ ନାମରେ ତାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ । ଉଭୟ ଘଟଣାରେ ସଦର ଓ ଟାଉନ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଉଭୟ ସମିତିର ପରିଚାଳନା ଦାୟୀତ୍ୱରେ ଥିବା ସମବାୟ ବିଭାଗର ଇନସପେକ୍ଟର ସଚିଦାନନ୍ଦ ଜେନା ଭରତପୁର ସମିତି ସମ୍ପାଦକଙ୍କ ଉପରେ ସେ ସଦର ଥାନାରେ ଦେଇଥିବା ଅଭିଯୋଗରୁ ଦିଲ୍ଲିପ ନାୟକଙ୍କ ନାମ ପ୍ରତ୍ୟାହାର କରିନେବାକୁ ଚାପ ପ୍ରୟୋଗ କରିଥିଲେ । ନଚେତ ସୁବୋଧ ପରେ ବହୁ ଅସୁବିଧାରେ ପଡିବେ ବୋଲି ଶ୍ରୀ ଜେନା ତାଙ୍କୁ ଚେତାବନୀ ଦେଇଥିଲେ । ସୁବୋଧ ଏଥିରେ ରାଜି ନହେବାରୁ ସମବାୟ ବିଭାଗର ଇନସପେକ୍ଟର ଶ୍ରୀ ଜେନା ସୁବୋଧଙ୍କ ନାମରେ ଏକ ପାକ୍ଷପାଖିଆ ରିପୋର୍ଟ ପ୍ରସ୍ତୁତ କରି ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କୁ ପ୍ରଦାନ କଲେ ଏବଂ ସହକାରୀ ନିବନ୍ଧକ ସେହି ରିପୋର୍ଟର କୈାଣସି ତଦନ୍ତ ନକରି ଭରତପୁର ସମିତିର ସମ୍ପାଦକଙ୍କୁ ମଙ୍ଗଳବାର ରାତିରେ ଚାକିରୀରୁ ନିଲମ୍ବନ ଆଦେଶ ଜାରି କଲେ । ବିନା କୈାଣସି କୈଫିୟତ ତଲବ କିମ୍ବା ତଦନ୍ତ ନକରି ସହକାରୀ ନିବନ୍ଧକ ଭରତପୁର ସମିତି ସମ୍ପାଦକଙ୍କୁଚାକିରୀରୁ ନିଲମ୍ବନ କରିଦେବା ପ୍ରତିବାଦରେ ସଂପୃକ୍ତ ସମ୍ପାଦକ ସପରିବାର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟହେଲେ । ସେହିପରି ଏଭଳି ବେଆଇନ ନିଲମ୍ବନ ନିର୍ଦେଶର ପ୍ରତିବାଦ କରି ଭରତପୁର ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବହୁ ପୂର୍ବତନ ପରିଚାଳନା ପରିଷଦର ସଭାପତି, ନିର୍ଦେଶକ, ଚାଷୀ, ଅଂଶୀଦାର, ସରପଂଚ,ସମିତିସଭ୍ୟ ପ୍ରମୁଖ ଧାରଣା ରେ ବସିରହିଲେ । ଏଥିସହିତ ଏଭଳି ଅନ୍ୟାୟ ନିଲମ୍ବନ ଆଦେଶ ବିରୁଦ୍ଧରେ ସହକାରୀ ନିବନ୍ଧକ , ଜିଲ୍ଲାପାଳ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କଲେ । ଏହାଦ୍ୱାରା ସହକାରୀ ନିବନ୍ଧକ ଧାରଣାରତ ଭରତପୁର ସମିତି ସମ୍ପାଦକ ସୁବୋଧଙ୍କୁ ୨ଦିନ ମଧ୍ୟରେ ତାଙ୍କ ଅଭିଯୋଗ ଉପରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇ ଧାରଣାରୁ ଉଠିଯିବାକୁ ନିବେଦନ କରିବାରେ ସୁବୋଧ ତାଙ୍କ ଧାରଣାରୁ ଉଠିଯାଇଥିଲେ । ଏହି ଘଟଣାରେ ବ୍ୟକ୍ତିଗତ କଥାକୁ ନେଇ ଉଭୟ ସମ୍ପାଦକଙ୍କ ମଧ୍ୟରେ ହୋଇଥିବା ବିବାଦକୁ ସମବାୟ ବିଭାଗ ଇନସପେକ୍ଟର ଶ୍ରୀ ଜେନା ଓ ସହକାରୀ ନିବନ୍ଧକ ନେଇଥିବା ପଦକ୍ଷେପ ତାଙ୍କୁ ବିବାଦ ମଧ୍ୟକୁ ଟାଣି ଆଣିଛି । ଓଡ଼ିଶା ସମାଚାର