Wednesday , May 31 2023
Home / ବିଶେଷ / ବିନା ତଦନ୍ତ ଓ କାରଣ ଦର୍ଶାଅ ନୋଟିସ କରାନଯାଇ ସମିତି ସମ୍ପାଦକଙ୍କୁ ନିଲମ୍ବନ କାହା ସ୍ୱାର୍ଥରେ

ବିନା ତଦନ୍ତ ଓ କାରଣ ଦର୍ଶାଅ ନୋଟିସ କରାନଯାଇ ସମିତି ସମ୍ପାଦକଙ୍କୁ ନିଲମ୍ବନ କାହା ସ୍ୱାର୍ଥରେ

କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସମତି ସମୂହର ସହକାରୀ ନିବନ୍ଧକ ବିନା ତଦନ୍ତ ଓ ବିନା କାରଣ ଦର୍ଶାଅ ନୋଟିସ ବା କୈଫିୟତ ତଲବ ନକରି ଜଣେ ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ କରିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଭରତପୁର ପଂଚାୟତବାସୀ । ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁବୋଧ କୁମାର ବିଶ୍ୱାଳଙ୍କୁ ସମିତି ସମୂହର ସହକାରୀ ନିବନ୍ଧକ ହଠାତ ମଙ୍ଗଳବାର ରାତିରେ ଚାକିରୀରୁ ନିଲମ୍ବନ କରିଦେଇଛନ୍ତି । ବଗଡା ଓ ଭରତପୁର ସମବାୟ ସମିତିର ଦୁଇ ସମ୍ପାଦକଙ୍କ ମଧ୍ୟରେ ବ୍ୟକ୍ତିଗତ କାରଣରୁ ହୋଇଥିବା ଉଚ୍ଚବାଚକୁ ନେଇ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ବେଳେ ସମିତି ସମୂହର ସହକାରୀ ନିବନ୍ଧକ ଏହି ଘଟଣାରେ ନିରପେକ୍ଷ ଭାବରେ ତଦନ୍ତ ନକରି କିମ୍ବା କୈଫିୟତ ତଲବ ନକରି ଭରତପୁର ସମିତି ସମ୍ପାଦକଙ୍କୁ ନିଲମ୍ବିତ ନିର୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ଅଂଶୀଦାର, ଚାଷୀ, ପୂର୍ବତନ ନିର୍ଦେଶକ, ପୂର୍ବତନ ସଭାପତି, ସରପଂଚ ପ୍ରଭୃତିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ସଂପୃକ୍ତ ନିଲମ୍ବିତ ସମିତି ସମ୍ପାଦକ ସପରିବାର ଗୋପସ୍ଥିତ ସମିତି ସମୂହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଥିଲେ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁବୋଧ କୁମାର ବିଶ୍ୱାଳ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ସେ ଘରେ ନଥିବା ସମୟରେ ଗତ ୧୪ତାରିଖରେ ତୁଣପୁର ଗ୍ରାମର କାଳନ୍ଦି ଚରଣ ବିଶ୍ୱାଳ ଓ ସେହିଗ୍ରାମର ଦିଲ୍ଲିପ କୁମାର ନାୟକ ମରଡପୁରସ୍ଥିତ ତାଙ୍କ ବାସଭବନରେ ପହଁଚି ତାଙ୍କ ପତ୍ନୀଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ସୁବୋଧଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଏବଂ ଗତ ୧୬ତାରିଖରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପରିସରରେ ମଧ୍ୟ ସୁବୋଧଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ମାଡ ମାରିଥିବା ସେ ଅଭିଯୋଗ କରିଥିଲେ । ଅପରପକ୍ଷରେ ବଗଡା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳ ଟାଉନ ଥାନାରେ ସୁବୋଧଙ୍କ ନାମରେ ତାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ । ଉଭୟ ଘଟଣାରେ ସଦର ଓ ଟାଉନ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ଟାଉନ ଥାନା ମାମଲାରେ ସୁବୋଧ କୋର୍ଟରୁ ଜାମିନ ପାଇଥିବା ବେଳେ ସଦର ଥାନା ପୋଲିସ କେବଳ ମାମଲା ରୁଜୁ କରିଦେଇ ହାତବାନ୍ଧି ବସିଯାଇଛି । ଉଭୟ ସମିତିର ପରିଚାଳନା ଦାୟୀତ୍ୱରେ ଥିବା ସମବାୟ ବିଭାଗର ଇନସପେକ୍ଟର ସଚିଦାନନ୍ଦ ଜେନା ଭରତପୁର ସମିତି ସମ୍ପାଦକଙ୍କ ଅଭିଯୋଗରୁ ଦିଲ୍ଲିପ ନାୟକଙ୍କ ନାମ ପ୍ରତ୍ୟାହାର କରିନେବାକୁ ଚାପ ପ୍ରୟୋଗ କରିଥିଲେ ବି ସେ ଏଥିରେ ରାଜି ହୋଇନଥିଲେ । ଫଳରେ ସମବାୟ ବିଭାଗର ଇନସପେକ୍ଟର ଶ୍ରୀ ଜେନା ସୁବୋଧଙ୍କ ବିରୋଧରେ ପକ୍ଷପାତିତା ଅବଲମ୍ବନ କରି ରିପୋର୍ଟ ସମବାୟ ସହକାରୀ ନିବନ୍ଧକଙ୍କୁ ପ୍ରଦାନ କଲେ । ସହକାରୀ ନିବନ୍ଧକ ସେହି ରିପୋର୍ଟର କୈାଣସି ତଦନ୍ତ ନକରି କିମ୍ବା ସେହି ଅଭିଯୋଗ ଉପରେ କୈଫିୟତ ତଲବ ନକରି ସିଧାସଳଖ ଭରତପୁର ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବନ କରିଦେଲେ । ଏଭଳି ବେଆଇନ ନିଲମ୍ବନ ନିର୍ଦେଶର ପ୍ରତିବାଦରେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବହୁ ପୂର୍ବତନ ପରିଚାଳନା ପରିଷଦର ନିର୍ଦେଶକ, ସଭାପତି, ଚାଷୀ, ଅଂଶୀଦାର, ସରପ, ସମିତିସଭ୍ୟ ପ୍ରମୁଖ ଧାରଣାଦେବା ସହିତ ଏଭଳି ଅନ୍ୟାୟ ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର ନିମନ୍ତେ ଜିଲ୍ଲାପାଳ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପରିଚାଳକ ଓ ସମିତି ସମୂହର ସହକାରୀ ନିବନ୍ଧକଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ପାଇଁ ବିଭାଗୀୟ ଉଚ୍ଚକର୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.