୭ଲକ୍ଷ ସ୍ଥାନରେ ୨ଲକ୍ଷ ୯୪ହଜାର, ଭିଜିଲାନ୍ସ ତଦନ୍ତ ଦାବି
କେନ୍ଦ୍ରାପଡ଼ା,୦୬/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକର ବଙ୍ଗାଳପୁର ପଂଚାୟତରେ ଏନ.ଆର.ଇ.ଜି.ଏସ. ଯୋଜନାରେ ବନୀକରଣ ନାମରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ସମ୍ପର୍କରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଫଳକକୁ ପରିବର୍ତନ କରିଦିଆଯାଇଛି । ପୂର୍ବରୁ ଫଳକରେ ଶ୍ରମିକମାନେ ୭ଲକ୍ଷ ୬୦ହଜାର ୮୬୩ଟଙ୍କା ମଜୁରୀ ପାଇଥିବା ଲେଖାଯାଇଥିଲା । କିନ୍ତୁ ପ୍ରକଳ୍ପର ମୂଲ୍ୟ ଲେଖାଯାଇଥିଲା ୫ଲକ୍ଷ ଟଙ୍କା । ଏହା ପୂର୍ବରୁ ସେହି ପ୍ରକଳ୍ପର ମୂଲ୍ୟ ୧୦ଲକ୍ଷ ଟଙ୍କା ବୋଲି ଲେଖାଯାଇଥିଲା । ଏହିପରି ବାରମ୍ବାର ଫଳକକୁ ଟାମ୍ପରିଂ କରାଯାଇ ପ୍ରକଳ୍ପର ମୂଲ୍ୟ ଓ ଶ୍ରମିକ ପାଇଥିବା ମଜୁରୀ ଲେଖାଯାଇଥିଲା । ତେଣୁ ଏଥିରେ ଯେ ମହା ଦୁର୍ନୀତି ହୋଇଛି ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡିଥିଲା । ତେଣୁ ଏବେ ପୁଣି ଟାମ୍ପରିଂ କରାଯାଇଛି । ଏହି ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରାଗଲେ ସଂପୃକ୍ତ ପଂଚାୟତର ସରପଂଚଙ୍କ କାରାଶାଦି ପଦାକୁ ଆସିଯିବ । ପ୍ରକାଶ ଥାଉକି ଏହି ପଂଚାୟତରେ କୈାଣସି ଚାରା ରୋପଣ କରାନଯାଇ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଏକ ଫଳକ ମରାଯାଇ ଅର୍ଥ ଆତ୍ମସାତ କରାଯାଇଥିଲା । ଏନେଇ ସେହି ପଂଚାୟତର କେତେକ ବୁଦ୍ଧିଜୀବୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଏସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଫଳକକୁ ୩ଥର ଟାମ୍ପରିଂ କରାଯାଇଛି । ତେଣୁ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ହେଲେ ଦୁର୍ନୀତି ପଦାକୁ ଆସିବ ବୋଲି ପଂଚାୟତବାସୀ ଆଶା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର