କେନ୍ଦ୍ରାପଡ଼ା, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ପଂଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ପାଇଁ ଗ୍ରହଣ ନିଷ୍ପତିକୁ ରଦ୍ଧ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ବିନା ପବ୍ଲିକ ନୋଟିସ, ସ୍ଥାନୀୟ ସରପ,ସମିତିସଭ୍ୟ ଓ ଜନସାଧାରଣଙ୍କୁ ନଜଣାଇ ବିନା ଗ୍ରାମସଭା ଅନୁମୋଦନରେ ରାମଚନ୍ଦ୍ରପୁର ଗ୍ରାମର ଖାତା ନମ୍ବର-୧୦୯/୯୮ ଓ ପ୍ଲଟ ନମ୍ବର -୩୭୦ ଉପରେ ମଦ ଦୋକାନ ଖୋଲାଯିବାକୁ ଜିଲ୍ଲା ପ୍ରଶାସନ କିଭଳି ଅନୁମତି ପ୍ରଦାନ କଲା । ଏହି ଦୋକାନ ଠାରୁ ମାତ୍ର ଏକଶହ ମିଟର ଦୂରରେ ମା ତାରିଣୀଙ୍କ ଉପାସନା ପୀଠ ଅବସ୍ଥିତ । ୫୦ମିଟର ଦୂରରେ ଯାତ୍ରୀ ବିଶ୍ରାମଗାରା ଯେଉଁ ଠାରେ ନଦୀ ପାର ହେବାକୁ ଯୁବକ, ଯୁବତୀ,ମହିଳା ପ୍ରଭୃତି ସର୍ବଦା ଡଙ୍ଗାକୁ ଅପେକ୍ଷା କରିଥାନ୍ତି । ଯଦି ଏସବୁକୁ ବିଚାରକୁ ନିଆଯାଇ ସେହି ମଦ ଦୋକାନକୁ ବନ୍ଦ କରାନଯାଏ ତେବେ ସେମାନେ ଆମରଣ ଅନଶନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସ୍ଥାନୀୟ ସରପଂଚ କୁସୁମଲତା ମଲ୍ଲିକ, ସମିତିସଭ୍ୟ ଅଞ୍ଜନ କୁମାର ଦାସ, ଗୋବର୍ଦ୍ଧନ ପ୍ରଧାନ, ପ୍ରବୀର କୁମାର ଦାସ, ସ୍ୱୟଂ ସହାୟୀକା ଗୋଷ୍ଠିର କାଂଚନ ନାୟକ, ଗୀତାଞ୍ଜଳି ରାଉତ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର