ରଘୁନାଥପୁର, ୦୫/୦୫/୨୦୨୧(ଓଡ଼ିଶା ସମାଚାର)-କରୋନା ଭାଇରସ ଦ୍ୱିତୀୟ ଲହରୀ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଆଜିଠାରୁ ୧୯ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରିକରିଛନ୍ତି । ଏହି ଲକଡାଉନ୍ ଆଜି ରଘୁନାଥପୁର ଥାନା ଅଂଚଳରେ ଶାନ୍ତିପୂର୍ଣ୍ଣଭାବେ ଲୋକମାନେ ସରକାରଙ୍କ ନିର୍ଦ୍ଧେଶକୁ ପାଳନ କରିଥିବା ଦେଖିବାକୁ ମିଳିଛି । ରଘୁନାଥପୁର ଥାନା ଅଂଚଳର ରଘୁନାଥପୁର, ଜଗନ୍ନାଥପୁର, ତାରପୁର, ରେଢୁଆ, ବର୍ତୀ, ସାଦେଇପୁର, ଗୋପାଳପୁର, ଓଡ଼ପଡା, ହାଟବଜାର, ନୂଆବଜାର, ନାରାୟଣଛକ ଆଦି ସ୍ଥାନରେ ଥିବା ଦୋକାନ ବଜାର ଗୁଡିକ ବନ୍ଦ ରହିଥିବା ବେଳେ କେବଳ ତେଜରାତୀ, ଔଷଧ, ହୋଟେଲ, ଜଳଖିଆ ଦୋକାନ, ପରିବା, ମାଛ, ମାଂସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯାଇଥିଲା । ଲୋକମାନେ ଚାଲି ଚାଲି ଆସି ସେମାନଙ୍କର ଅତ୍ୟାବଶ୍ୟକୀୟ ସମାଗ୍ରୀ ସାମାଜିକ ଦୂରତା ରକ୍ଷା କରି କିଣୁଥିବା ଦେଖିବାକୁ ମିଳୁଥିଲା । ଜଗତ୍ସିଂହପୁର ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍., ଜଗତ୍ସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶ ସରୋଜକାନ୍ତ ମହାନ୍ତି ଆଜି ଲକ୍ ଡାଉନ୍ କିଭଳି ପାଳନ କରାଯାଉଛି ତାହା ନିଜେ ରଘୁନାଥପୁର ଆସି ପରିଦର୍ଶନ କରିବା ସହିତ ଲୋକମାନଙ୍କୁ କରୋନା ସମୟରେ କିଭଳି ସରକାରଙ୍କ ଏହି ନିୟମକୁ ପାଳନ କରିବେ ସେ ସମ୍ପର୍କରେ ସଚେତନ କରାଇବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ଚାଲି ଚାଲି ଆସି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଲୋକମାନଙ୍କୁ ବୁଝାଇବାକୁ ରଘୁନାଥପୁର ବି.ଡି.ଓ. ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ରୂପାଲିକା ଦାଶ, ଥାନା ଆଇ.ଆଇ.ସି. ଦେବେନ୍ଦ୍ର ମହାପାତ୍ର, ପୋଲିସ୍ ଏସ୍.ଆଇ ଚିନ୍ମୟ କୁମାର ପାଣି, ଏସ୍.ଆଇ. ଲିଜାରାଣୀ ବିଶ୍ୱାଳ, ଏସ୍.ଆଇ ଗୟସ ଅହମ୍ମଦ ଓ ଅନ୍ୟ ସମସ୍ତ ପୋଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।
