ଭୁବନ ୦୫/୦୫/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାରେ କରୋନାର ପ୍ରାଦୁର୍ଭାବ ସେତେଟା ନଥିଲା । ଗତ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ହାରାହାରି ୫୦ ଭିତରେ ସିମୀତ ରହୁଥିଲା ବେଳେ ଗତକାଲି ଗୋଟିଏ ଦିନରେ ଆଶ୍ଚର୍ଯ୍ୟଜନକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪୯ ରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା । ପର୍ଯ୍ୟାପ୍ତ ଟେଷ୍ଟିଂ ହେଉନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉନଥିଲା ଏବେ ଟେଷ୍ଟିଂ ହେବାପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀ ମହଲ ଚର୍ଚ୍ଚା କରୁଛନ୍ତି । ତେବେ ପୂର୍ବରୁ ଯେଉଁଭଳି ଭାବେ ଯେଉଁ ୱାର୍ଡ କି ଅଂଚଳରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଥିଲେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ସରକାରୀ ଗାଡି ଯୋଗେ କୋଭିଡ ହସପିଟାଲ ନିଆଯାଉଥିଲା, ସଂପୃକ୍ତ ବ୍ୟକ୍ତି କୁଆଡେ ଯାଇଥିଲେ,କାହା ସହିତ ମିଶିଥିଲେ,ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ପରବର୍ତି ସମୟରେ ତାଙ୍କର ମଧ୍ୟ ଟେଷ୍ଟିଂ କରାଯାଉଥିଲା ଏବଂ ସଂପୃକ୍ତ ବ୍ୟକ୍ତି ମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଧେଶ ଦିଆଯାଉଥିଲା ଏବେ ସେଭଳି ଆଉ କରାଯାଉନାହିଁ କି ଓ ସଂପୃକ୍ତ ୱାର୍ଡ କି ଅଂଚଳକୁ ସାନିଟାଇଜ ମଧ୍ୟ କରାଯାଉନାହିଁ । ଫଳରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଗୋଷ୍ଟୀ ସଂକ୍ରମଣ ହେବାର ଆଶଙ୍କା ଉପୁଜିଛି । ତେଣୁ ପୂର୍ବଭଳି କଣ୍ଟାକ୍ଟ ଟ୍ରେସିଂ ଓ ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି । ଓଡ଼ିଶା ସମାଚାର