କଟକ / ଭୁବନେଶ୍ୱର,୦୫/୦୫/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଓ ଭୁବନେଶ୍ୱର ଦୈତ ନଗରୀରେ ଛିନତାଇ ରେ ସମ୍ପୃକ୍ତ କଟୁରୀ ଗ୍ୟାଙ୍ଗର ୫ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ କମିଶନରେଟ ପୁଲିସ ଗିରଫ କରି ବହୁ ଅଳଙ୍କାର ଜବତ କରିଛି ।
ଗତ କିଛି ଦିନ ହେଲା କଟକ ଓ ଭୁବନେଶ୍ୱର ଦୈତ ନଗରୀରେ ଏମାନେ ପଲସର ଗାଡ଼ିରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରି ଆହତ ହୋଇ ପଡିଥିବା ଲୋକଙ୍କ ଠାରୁ ସୁନା ଗହଣା ଲୁଟି ନେଉଥିଲେ। ବିଶେଷ କରି ମର୍ଣ୍ଣୀଂ ୱାକ୍ ରେ ଯାଉଥିବା ମହିଳା ମାନଙ୍କୁ ଏକୁଟିଆ ପାଇ କଟୁରୀ ରେ ଆକ୍ରମଣ କରି ଆହତ କରି ସେମାନଙ୍କ ନିକଟରୁ ଦାମି ଅଳଙ୍କାର ଲୁଟିନେଉଥିଲେ । ବେଶ୍ କିଛି ଦିନ ଧରି ଚାଲିଥିଲା ଏପରି କାମ । ଶେଷରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଗଠିତ ଏକ ଟିମ୍ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛି । ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ ମଧ୍ୟ କରାଯାଇଛି। ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ୨୫ ରୁ ଅଧିକ ମାମଲା ରହିଥିବା ଏକ ସାମ୍ବାଦିକ ସମ୍ବିଳନୀରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି ଗଣେଷ କୋଟି, ଶଙ୍କର ଦାସ,ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ । ସ୍ପେଶାଲ ସ୍କ୍ୱାର୍ଡ଼ ଓ ସହିଦନଗର ପୁଲିସ ମିଳିତ ଭାବେ ଏହି ଦୁର୍ଦ୍ଧାନ୍ତ ଅପରାଧୀ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ନିକଟରୁ ୧୯ ଟି ସୁନା ଚେନ୍ ପ୍ରାୟ ୨୦୦ ଗ୍ରାମ ଓଜନ ହେବ, ୬.୫ କେଜି ରୁପା, ନଗଦ ୧୩ ହଜାର ୬ଶହ ଟଙ୍କା, ଏକ ପଲସର ବାଇକ୍ ଏବଂ ମାରଣାସ୍ତ୍ର ଜବତ କରାଯାଇଛି । ଓଡ଼ିଶା ସମାଚାର