କେନ୍ଦ୍ରାପଡ଼ା, ୦୪/୦୫/୨୦୨୧(ଓଡ଼ିଶା ସମାଚାର)- ସାମ୍ପ୍ରତିକ କରୋନା ମହାମାରୀ ଦ୍ୱିତୀୟ ଲହର ସଂକ୍ରମଣ ପରୀପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ କରୋନା ପରିଚାଳନା ସମ୍ପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି । ସୋମବାର ଜିଲ୍ଲାରେ ୧୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ଜିଲ୍ଲାରେ ପ୍ରାୟ ୬ଶହ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଶତକଡା ୯୦ଭାଗ ଗୃହ ସଂଗରୋଧରେ ଓ ଅବଶିଷ୍ଟ ୧୦ଭାଗ କୋଭିଡ ଯତ୍ନ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି । ସଂପ୍ରତି ଛତା ଓ ପଟ୍ଟାମୁଣ୍ଡାଇ ଠାରେ ୨ଟି କୋଭିଡ ଜତ୍ନ କେନ୍ଦ୍ର ଚାଲୁରହିଥିବା ବେଳେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ କ କୋଭିଡ ଯତ୍ନ କେନ୍ଦ୍ର ଦିନେ ଦୁଇଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ବର୍ତମାନ ସୁଦ୍ଧା ଛତା ଓ ପଟ୍ଟାମୁଣ୍ଡାଇ କୋଭିଡ ଯତ୍ନ କେନ୍ଦ୍ରରେ ପ୍ରାୟ ୨ଶହ ଶଯ୍ୟା ଖାଲି ରହିଛି । ଆବଶ୍ୟକୀୟ ଅମ୍ଳଜାନ ସିଲିଣ୍ଡର ମହଜୁଦ ରଖାଯାଇଛି । ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ଗୃହ ସଂଗରୋଧରେ ରଖାଯିବା ନିମିତ ସଂପୃକ୍ତ ପଂଚାୟତର ସରପଂଚମାନେ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁମାନଙ୍କର ଗୃହ ସଂଗରୋଧ ପାଇଁ ଆବଶ୍ୟକ ଘର ନଥିବ ସେମାନଙ୍କୁ କୋଭିଡ ଯତ୍ନକେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯିବ । ବର୍ତମାନ ସ୍ଥିତିରେ ଭୟଭିତ ହେବାର କିଛି କାରଣ ନାହିଁ । କୌଣସି ସ୍ଥାନରେ ଗୋଟିଏ ପରିବାର,ଗୋଟିଏ ସାହି କିମ୍ବା ଗୋଟିଏ ଗ୍ରାମରୁ ୧୫ରୁ ଉଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହେଲେ ସେହି ଅଂଚଳକୁ ମିନି କଂଟେନମେଂଟ ଜୋନ କରାଯିବ । ଯେହେତୁ ଏଯାବତ କୌଣସି ସ୍ଥାନରୁ ଏକ ସେଙ୍ଗ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ତେଣୁ ଜିଲ୍ଲାରେ ମିନି କଂଟେନମେ ଜୋନର ଆବଶ୍ୟକତା ପଡିନାହିଁ । ଯେଉଁ ସଂକ୍ରମିତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ସେମାନେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେବେ । ଯଦି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନହୁଏ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ସେମାନଙ୍କୁ ଛତା କୋଭିଡ ହସପିଟାଲରେ ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଗାମି ୫ତାରିଖ ବୁଧବାର ଠାରୁ ରାଜ୍ୟ ସରକାର ସାରା ରାଜ୍ୟକୁ ଲକଡାଉନ ଘୋଷଣା କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାରେ ଏହି ନିୟମକୁ କଡାକଡି ଭାବେ ଅନୁପାଳନ କରାଯିବ । ଜିଲ୍ଲାରେ ସଂକ୍ରମଣ ହ୍ରାସ ନିମିତ ଜିଲ୍ଲାବାସୀ ଲକଡାଉନର ନିୟମ ସଠିକ ଭାବେ ଅନୁପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ଋତୁରାଜ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର