ଗରଦପୁର, ୦୪/୦୫/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ଠାରେ ଥିବା କାନାରା ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତ୍ରୀରେ ଡକାୟତମାନେ ବଡ ଧରଣର ଡକାୟତି କରିବା ପାଇଁ ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ ମଧ୍ୟ ବ୍ୟାଙ୍କରେ ଥିବା ଷ୍ଟ୍ରଙ୍ଗ ରୁମ ତାଡି ନ ପାରିବାରୁ ବ୍ୟାଙ୍କରୁ ଦୁଇଗୋଟି ଜିନିଷ ନେଇ ଫେରାର ଯାଇଥିବାର ଜଣାଯାଇଛି । ବ୍ୟାଙ୍କ ଶାଖା ପରିଚାଳକଙ୍କ ସୂତ୍ରରୁ ପ୍ରକାଶ ଯେ,ନୂଆପଡା ଠାରେ ଥିବା କାନରା ବ୍ୟାଙ୍କର ପଛ ପଟ ଝରକାର କବାଟ ଭାଙ୍ଗି ଗ୍ରୀଲ୍ ତାଡି ଡକାୟତମାନେ ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ବ୍ୟାଙ୍କରେ ଥିବା ଷ୍ଟ୍ରଙ୍ଗ୍ ରୁମ୍ ଭାଙ୍ଗିବାକୁ ଚେଷ୍ଟା କରି ଡକାୟତମାନେ ବିଫଳ ହୋଇଥିଲେ । ଆଜି ସକାଳ ୯ଟା ସମୟରେ ବ୍ୟାଙ୍କର ଶାଖା ପରିଚାଳକ କୃଷ୍ଣଚନ୍ଦ୍ର ପଶାୟତ ଓ ଅନ୍ୟ ଜଣେ କର୍ମଚାରୀ ବ୍ୟାଙ୍କ ଖୋଲିବା ମାତ୍ର୍ରେ ବ୍ୟାଙ୍କ ମଧ୍ୟରେ ଥିବା କାଗଜପତ୍ର ବିକ୍ଷିପ୍ତ ଅବସ୍ଥାରେ ଏଣେ ତେଣେ ପଡିଥିବାର ଦେଖିବାକୁ ପାଇଥିଲେ । କିଛି ସମୟ ପରେ ବ୍ୟାଙ୍କର ପଛ ପାଖରେ ଥିବା ଝରକା ତଡାଯାଇଥିବାର ଦେଖିବାକୁ ପାଇଥିଲେ । ଝରକାର ଗ୍ରୀଲ୍ ତାଡି ଡାକାୟତମାନେ ବ୍ୟାଙ୍କ ମଧ୍ୟରେ ପ୍ରବେଶ କରି ପ୍ରଥମେ ବ୍ୟାଙ୍କରେ ଥିବା ସିସି ଟିଭିର ଡିଭିଆର(ରେକଡିଂଭୁକ୍ତ)ମେସିନ୍କୁ ଉଠାଇ ନେଇଯାଇଥିଲେ । ପରେ ବ୍ୟାଙ୍କ ମଧ୍ୟରେ ଥିବା ଷ୍ଟ୍ରଙ୍ଗ ରୁମ୍ର ୩ଗୋଟି ସ୍ଥାନରେ କଟର ସାହାଯ୍ୟରେ ତାଡିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ବ୍ୟାଙ୍କର ଇଂଟରନେଟ୍ କନେକଟିଙ୍ଗ୍ ରାଉଟରକୁ ଡାକାୟତମାନେ ନେଇଯାଇଛନ୍ତି । ବ୍ୟାଙ୍କରେ ଥିବା କାଗଜପତ୍ରଗୁଡିକୁ ଏଣେତେଣେ ଫିଙ୍ଗାଫୋପଡା କରିଥିବାବେଳେ,ବ୍ୟାଙ୍କର ଅନ୍ୟ କୌଣସି ଜିନିଷ ନେଇ ନ ଥିବା ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ପଶାୟତ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଆଜି ଶାଖା ପରିଚାଳକ ଶ୍ରୀ ପଶାୟତ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାଟକୁରା ଥାନାର ଭାରପ୍ରାପ୍ତ ଅଧିକାରୀ ସୁଜିତ୍ କୁମାର ପ୍ରଧାନ ଓ ସବ୍ -ଇନିସ୍ପେକ୍ଟର ଜ୍ୟୋତିରଞ୍ଜନ ମହାନ୍ତି ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ କରାଯାଇ ଚଦନ୍ତ କରାଯାଉଛି । ଓଡ଼ିଶା ସମାଚାର