ଭୁବନେଶ୍ୱର,୦୩/୦୫/୨୦୨୧(ଓଡ଼ିଶା ସମାଚାର)- ପିପିଲି ଉପ ନିର୍ବାଚନ ଝୁଲିଲା । ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ପିପିଲ ଉପ ନିର୍ବାଚନ ସ୍ଥଗିତ । ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପିପିଲି ସମେତ ପଶ୍ଚିମବଙ୍ଗର ୨ଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ କୁ ମଧ୍ୟ ନିର୍ବାଚନ କମିଶନ ସ୍ଥଗିତ ରଖିଛନ୍ତି । ତେବେ କରୋନା ପ୍ରକୋପ କମିବା ପରେ ସାନି ତାରିଖ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଗତ ୨୨ରେ ପିପିଲି ଉପ ନିର୍ବାଚନ ମେ’ ୧୬ ତାରିଖରେ ହେବା ନେଇ ସୂଚନା ମିଳିଥିଲା। ମେ ୧୯ ତାରିଖରେ ଭୋଟ ଗଣତି ହେବା ସହିତ ଫଳ ପ୍ରକାଶ ପାଇବାର ଥିଲା । ମେ ୧୩ରେ ଇଦ୍-ଉଲ୍-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ସୂଚନା ମିଳିଥିଲା ।
ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ ନିର୍ବାଚନ ପାଇଁ ମତଦାନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେଁ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ୟ୍ୟ କରାଯାଇଥିଲା । କିନ୍ତୁ ମେ ୧୩ ତାରିଖରେ ଇଦ୍-ଉଲ୍- ଫିତର ଥିବାରୁ ପୁନଶ୍ଚ ମେ ୧୯ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ହେଲେ ସମ୍ପ୍ରତି କରୋନା ସଙ୍କ୍ରମଣ ର ସ୍ଥିତିକୁ ନେଇ ନିର୍ବାଚନ କମିଶନ ପୁଣିଥରେ ପିପିଲି ଉପ ନିର୍ବଚନ ସ୍ଥଗିତ ରଖିଚନ୍ତି । ଓଡ଼ିଶା ସମାଚାର