ଜିଲ୍ଲାପାଳଙ୍କ ନିର୍ଦ୍ଦେଶପରେ ବି କାମ କରୁନି ବିଭାଗ
କେନ୍ଦ୍ରାପଡା, ୦୩/୦୫/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ମାନୁ ନାହାଁନ୍ତି କେନ୍ଦ୍ରାପଡା ପାନୀୟ ଜଳେଯାଗାଣ ଅଧିକାରୀ । ଗତ ମାର୍ଚ୍ଚମାସ ୨୩ତାରିଖ ଦିନ ଜିଲ୍ଲାପାଳ ଅମ୍ରିତ ଋତୁରାଜ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକର ମାର୍ଶାଘାଇ ପଂଚାୟତର ତୁଳସୀପୁର ଗ୍ରାମ ଗ୍ରସ୍ଥରେ ମହିଳା ସ୍ୱୟଂ ସହାୟକା ଗୋଷ୍ଠିର ମହିଳା ସଦସ୍ୟା ମାନଙ୍କଦ୍ୱାରା ସ୍ୱାବଲମ୍ବି ହେବାକୁ ପ୍ରସ୍ତୁତ କରାଯାଉଥିବା ଛତୁ ଚାଷ କାର୍ଯ୍ୟ ପରିଦର୍ଶନ କରିଥିଲେ । ମହିଳା ମଣ୍ଡଳ ଦ୍ୱାରା ଗ୍ରାମରେ ଏକ ହଜାର ବେଡ୍ ବିଶିଷ୍ଟ ଛତୁ ଚାଷ ପାଇଁ ତିଆରି ହେଉଥିବା କ୍ଷେତ୍ର ବୁଲି ଦେଖିଥିଲେ । ଏହି ଛତୁ ଚାଷରେ ୫୦ଜଣ ମହିଳା ସାମିଲ ଥିବା ବେଳେ ଏମାନଙ୍କୁ ନେଇ ଏକ ପିଜି ଗୃପ ଖୋଲିବାକୁ ପରାମର୍ଶ ଦେଇଥିଲେ । ଏବଂ ଆହୁରି ଅଧିକରୁ ଅଧିକ ମହିଳା ମାନଙ୍କୁ ସାମିଲ କରାଇ ପେପର ପ୍ଲେଟ ସମେତ ଘରେ ବସି କିପରି ମହିଳାମାନେ ରୋଜଗାରକ୍ଷମ ହେବେ ସେଥିନେଇ ପରାମର୍ଶ ଦେଇଥିଲେ । ଏଥି ସହିତ ତୁଳସୀପୁର ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଉପସ୍ଥିତ ଥିବା ମାର୍ଶାଘାଇ ବିଡିଓ ଶ୍ରୀଧର ବିଶ୍ୱାଳଙ୍କ ସମେତ ଓଡିଶା ଜୀବିକା ମିଶନର କର୍ମକର୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମହିଳାମାନେ ଗ୍ରାମରେ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ସୂଚନା ଯୋଗ୍ୟ ଯେ ତୁଳସୀପୁର ଗ୍ରାମରେ ପ୍ରାୟ ଦୁଇ ହଜାର ଲୋକ ବାସ କରୁଥିବା ବେଳେ ଗ୍ରାମରେ ୬ଗୋଟି ନଲକୂପ କାର୍ଯ୍ୟକ୍ଷମ ଥିବା ବେଳେ ଜଳସ୍ତର କମି ଯାଇଥିବାରୁ ନଳକୂପରୁ ପାଣି ବାହାରିବା କମି ଯାଇଛି । ହରିଜନ ସାହିର ନଳକୂପଟି ଖରାପ ହୋଇ ଯାଇଥିବାରୁ ପ୍ରାୟ ୫୦ଟି ପରିବାର ଜଳକଷ୍ଟର ସମ୍ମୁଖିନ ହେଉଛନ୍ତି । ଅନ୍ୟପଟରେ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ବ୍ୟବସ୍ଥା ରହିଥିବା ବେଳେ ପାଇପରେ ପାଣି ଆସୁନି । ଯାହାକୁନେଇ ଗ୍ରାମର ମହିଳା ପୁରୁଷମାନେ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ତୁରନ୍ତ ତୁଳସୀପୁର ଗ୍ରାମବାସୀଙ୍କ ଜଳ ସମସ୍ୟା ଦୂର କରିବାକୁ ଉପସ୍ଥିତଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ର ଦେଢମାସ ବିତି ଯାଇଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାମର ଲୋକମାନେ ଅଭିଯୋଗ କରୁଛନ୍ତି । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିପାରୁ ନଥିବା ବିଭାଗ ସାଧାରଣ ଜନତାଙ୍କ ଅଭିଯୋଗ କିପରି କାର୍ଯ୍ୟ କରୁଛି ତାହା ଏହି ଘଟଣାରୁ ବାରି ହୋଇ ପଡୁଛି । ଓଡ଼ିଶା ସମାଚାର