କେନ୍ଦ୍ରାପଡ଼ା,୦୧/୦୫/୨୦୨୧(ଓଡ଼ିଶା ସମାଚାର)-ଛାତ୍ରମାନଙ୍କ ନାମରେ ଲଗାଯାଇଥିବା ଭିତିହୀନ ମାମଲା ପ୍ରତ୍ୟାହାର ସହ ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ତୁରନ୍ତ ବଦଳି ଦାବି କରିଛି କେନ୍ଦ୍ରାପଡା ଛାତ୍ର ସଂସଦ । ଗତ ବୁଧବାର କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ୧୪ଟି ଜୁନିଅର କଲେଜର ଶତାଧିକ ଛାତ୍ରଛାତ୍ରୀ +୨ ବୋର୍ଡ ପରୀକ୍ଷା ବାତିଲ ଦାବିରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରି ରାସ୍ତା ଉପରେ ବସିରହିଥିଲେ । ସେହି ଘଟଣାକୁ ନେଇ ଟାଉନ ଥାନା ପକ୍ଷରୁ ୧୨ଜଣ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ବହୁ ସଂଗୀନ ଦଫାରେ ମାମଲା ରୁଜୁ କରାଯାଇଛି । ଘଟଣା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିବା ପରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୋର୍ଟିକରେ ଧାରଣାରେ ବସିରହିବା ସହ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଛାତ୍ରମାନଙ୍କ ନାମରେ ଲଗାଯାଇଥିବା ଭିତିହୀନ ମାମଲା ପ୍ରତ୍ୟାହାର ସହ ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟରଙ୍କୁ ବଦଳି କରାଯିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । +୨ ଛାତ୍ରଛାତ୍ରୀମାନେ କଲେଜ ବନ୍ଦ ରହୁଥିବାରୁ ବହୁ ଅସୁବିଧାରେ ପାଠ ପଢୁଥିବା ବେଳେ ହଠାତ ପରୀକ୍ଷା ତାରିଖ ଘୋଷଣା ହୋଇଯିବା ପରେ ପାଠପଢା ଠିକ ଭାବରେ ହୋଇନଥିବାରୁ ସେମାନେ ବିଚଳିତ ହୋଇପଡିଥିଲେ । ଯାହାଦ୍ୱାରାକି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ବାତିଲ କରାଯାଉ ନଚେତ ଅନଲାଇନରେ ପରୀକ୍ଷା କରାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ । ତେଣୁ ସେମାନେ ଭବିଷ୍ୟତ ଆଶଙ୍କାରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିବାକୁ ବାଧ୍ୟ ହୋଇଥିଲେ । ଏଭଳି ପରିସ୍ଥିତିରେ ସେମାନଙ୍କ ନାମରେ ରୁଜୁ ହୋଇଥିବା ଭିତିିହୀନ ମାମଲାକୁ ପ୍ରତ୍ୟାହାର ପୂର୍ବକ ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟରଙ୍କୁ ବଦଳି କରାଯିବା ପାଇଁ ଦାବି କରି ବସି ରହିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ସେମାନଙ୍କ ନାମରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯିବ ବୋଲି ଛାତ୍ରମାନଙ୍କୁ ପ୍ରତିଶୃତି ଦେଇଥିବା ସେମାନେ କହିଛନ୍ତି । କେନ୍ଦ୍ରାପଡା ଛାତ୍ର ସଂସଦ ପକ୍ଷରୁ ସନ୍ଧ୍ୟାରାଣୀ ମଲ୍ଲିକ,ସ୍ୱୟଂ ପ୍ରଭା ନାୟକ, ରୂପାଲି ମଲ୍ଲିକ,ସୁଭଦ୍ରା ସାହୁ, ଅନୁରାଗ ଧଳ, ପ୍ରଦୀପ କୁମାର ବିଶ୍ୱାଳ,ଲିଙ୍ଗରାଜ ବେହେରା, ବିଶ୍ୱନାଥ ସ୍ୱାଇଁ , ମନୋଜ ଦାଶ,ଶୁଭେନ୍ଦୁ ସତ୍ୟପ୍ରକାଶ ମଲ୍ଲିକ ପ୍ରମୁଖ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଓଡ଼ିଶା ସମାଚାର
Home / ଶିକ୍ଷା / ଛାତ୍ରମାନଙ୍କ ନାମରେ ଲଗାଯାଇଥିବା ଭିତିହୀନ ମାମଲା ପ୍ରତ୍ୟାହାର ସହ ଟାଉନ ଥାନା ଅଧିକାରୀଙ୍କ ବଦଳି ଦାବିକଲା କେନ୍ଦ୍ରାପଡା ଛାତ୍ର ସଂସଦ